Latest Odisha News

ପଶ୍ଚିମ ଓଡ଼ିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ।  ଏହାଦ୍ବାରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ବିକାଶରେ ପଶ୍ଚିମ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡ଼ିଶା । ପର୍ଯ୍ୟଟନର ବିକାଶ ପାଇଁ ମା ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି । ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରୁଛି । ପଶ୍ଚିମ ଓଡ଼ିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଠାରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ବରଗଡ ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଦେବଗଡ଼ ଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗ ଦେଇ ପଶ୍ଚିମ ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ୫ଟି ଉପକ୍ରମରେ ସବୁ କାର୍ଯ୍ୟକ୍ରମ ଠିକ୍‌ ସମୟରେ ଆରମ୍ଭ ହୋଇ ଶେଷ ହେବା ସହିତ ପଶ୍ଚିମ ଓଡିଶାର ବିକାଶ ତ୍ବରାନ୍ବିତ ହୋଇପାରୁଛି ବୋଲି ସେମାନେ ମତ ଦେଇଥିଲେ ।

ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ  ଏବଂ ଏହାର ସିଇଓ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗିର ଗଡିଆଜୋର ସେତୁ, ଟିଟିଲାଗଡ ଟାଉନହଲ୍‌, ବରଗଡ ଇକୋ ଟୁରିଜିମ୍‌, ଭିତ୍ତିଭୂମି, ଦେବଗଡ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି ।

ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ଼ ଜନ୍ଦୋଲ ଗାଁର କମ୍ୟୁନିଟି ହଲ୍‌, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲ୍‌ର ନିର୍ମାଣ କାମ ରହିଛି ।

Comments are closed.