Latest Odisha News

BREAKING NEWS

ବୌଦ୍ଧ ଓ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ।

ସରକାରୀ ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳଠାରେ ୧୧୬ କୋଟି ଟଙ୍କା ବ୍ୟୟରେ ୪୫ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ସେଥିମଧ୍ୟରେ କଣ୍ଟାମାଳ ବ୍ଲକରେ ୪ଟି ହାଇଲେଭଲ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ବୌଦ୍ଧ ଜିଲ୍ଲାର ସଦର ଓ କଣ୍ଟାମାଳ ବ୍ଲକରେ ୨ଟି ସେତୁ, ୬ଟି ପାଇପ ଜଳଯୋଗାଣ ପ୍ରକଳ୍ପ, ଗୋଟିଏ ୧୦୦ ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରୀ ନିବାସ ଏବଂ ଗୋଟିଏ ସଡ଼କ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଏହାବ୍ୟତୀତ, ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବା ସହିତ ବିଭିନ୍ନ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

କଣ୍ଟାମାଳରୁ ଆସି ମୁଖ୍ୟମନ୍ତ୍ରୀ ଜିଲ୍ଲା ସଦର ମହକୁମା ବୌଦ୍ଧଠାରେ ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ପହଞ୍ଚି ସେଠାରେ ୭୬ କୋଟି ଟଙ୍କାର ୪୭ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ୪ଟି ସେତୁ, ୩ଟି ସଡ଼କ ପ୍ରକଳ୍ପ, ୧୨ଟି ହଷ୍ଟେଲ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୬୭ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଥିମଧ୍ୟରେ ରହିଛି, ୫ଟି ସେତୁ, ୧୩ଟି ସଡ଼କ ପ୍ରକଳ୍ପ, ୫ଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ । ଏହପରେ ମୁଖ୍ୟମନ୍ତ୍ରୀ ଏଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ସହିତ ବିଭିନ୍ନ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଭଞ୍ଜନଗର ସହରରେ ଦିନ ପ୍ରାୟ ୩ଟା ୧୦ ମିନିଟରେ ପହଞ୍ଚିବେ ।

ଭଞ୍ଜନଗରଠାରେ ୨୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ୩ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ରହିଛି ଭଞ୍ଜନଗର ବସଷ୍ଟାଣ୍ଡ, ସ୍ୱତନ୍ତ ଉପ-କାରାଗାର , ଏବଂ ଭଞ୍ଜନଗର ଟାଉନହଲ୍ ।

ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ଭଞ୍ଜନଗରଠାରେ ୮୬ କୋଟି ୬୯ ଲକ୍ଷ ଟଙ୍କାର ୨୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭଞ୍ଜନଗର ଉପଖଣ୍ଡର ୧୨ଟି ସଡ଼କ ପ୍ରକଳ୍ପ, କୋକଲବା ନଦୀ ବାମ ପାଶ୍ୱର୍ ବନ୍ୟାସୁରକ୍ଷା ପ୍ରକଳ୍ପ, ସହରାଞ୍ଚଳ ବାସହୀନଙ୍କ ଲାଗି ଆଶ୍ରୟସ୍ଥଳୀ, ୩ଟି ସେତୁ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଭଞ୍ଜନଗରଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.