Latest Odisha News

BREAKING NEWS

Naveen Patnaik ‘missing’: କୁଆଡ଼େ ହଜିଗଲେ ନବୀନ? ହିଞ୍ଜିଳିରେ ଲାଗିଲା ‘ମିସିଂ’ ପୋଷ୍ଟର, ମୁହାଁମୁହିଁ ବିଜେପି-ବିଜେଡି…

ହିଞ୍ଜିଳି: ବନ୍ୟାରେ ବେହାଲ ହିଞ୍ଜିଳି, ଆଉ ଏପଟେ ଖୋଜା ଚାଲିଛି ପୂ୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ? ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନାଁରେ ଲାଗିଛି ‘ମିସିଂ’ ପୋଷ୍ଟର। ଏହି ପୋଷ୍ଟରକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋର୍‌ଦାର ଚର୍ଚ୍ଚା।

ସୂଚନା ଅନୁସାରେ, ହିଞ୍ଜିଳିର ଏକ ବସ୍‌ଷ୍ଟାଣ୍ଡ୍‌ର ଖୁଣ୍ଟରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଏକ ହଜିଯାଇଥିବା ପୋଷ୍ଟର ଲଗାଯାଇଛି। ପୋଷ୍ଟର ଉପରେ ‘ମିସିଂ’ ଲେଖାଯିବା ସହ ତାଙ୍କୁ ଖୋଜିବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ତେବେ ଏହି ପୋଷ୍ଟର କିଏ ଲଗାଇଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୋଲିସ ମଧ୍ୟ ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିନାହିଁ।

ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଓ ବିରୋଧୀ ବିଜେଡି। ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ବିପଦ ସମୟରେ ହିଞ୍ଜିଳିବାସୀ ନିଜ ବିଧାୟକଙ୍କୁ ଖୋଜୁଥିବାରୁ ଏଭଳି ପୋଷ୍ଟର ଲାଗିଥାଇପାରେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଥିବାବେଳେ ନବୀନ ବନ୍ୟାଞ୍ଚଳକୁ ହେଲିକପ୍ଟରରେ ଯାଉଥିଲେ, ଏବେ ନିଜ ନିର୍ବାଚନମଣ୍ଡଳୀକୁ ସେ କାହିଁକି ଯାଇପାରୁନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବିଜେଡି ଏହାର କଡ଼ା ଜବାବ ଦେଇଛି। ଦଳର ଯୁବ ସଭାପତି ଚିନ୍ମୟ ସାହୁ ବିଜେପି ନେତାମାନେ ବିପର୍ଯ୍ୟୟକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ନବୀନ ହିଞ୍ଜିଳି ଯାଇନଥିଲେ ମଧ୍ୟ ବରିଷ୍ଠ ବିଜେଡି ନେତାଙ୍କ ଏକ ପ୍ରତିନିଧି ଦଳ ଗଞ୍ଜାମ ଓ ହିଞ୍ଜିଳି ଯାଇ ଲୋକଙ୍କ ସହ କଥା ହୋଇଥିବା ସେ କହିଛନ୍ତି। ଏପରିକି ସରକାର କିମ୍ବା ମନ୍ତ୍ରୀ ପହଞ୍ଚିବା ପୂର୍ବରୁ ବିଜେଡି ନେତାମାନେ ସେଠାରେ ପହଞ୍ଚିଥିବା ସେ ଦାବି କରିଛନ୍ତି । ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ବି କହିଛନ୍ତି, ନବୀନ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଫୋନ୍ କରି ହିଞ୍ଜିଳି ସମେତ ସମଗ୍ର ଜିଲ୍ଲାର ଲୋକଙ୍କ ଭଲମନ୍ଦ ବୁଝିଥିଲେ। ତେଣୁ ତାଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ତେବେ ଏହି ପୋଷ୍ଟର ପଛରେ କିଏ ଅଛି ଏବଂ କିଏ ଏହି ପୋଷ୍ଟର ଲଗାଇଲା, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଦିନେ ବନ୍ୟା ଏବଂ ବାତ୍ୟାର ମୁକାବିଲା ପାଇଁ ଓଡିଶାକୁ ରୋଲ୍ ମଡେଲ୍ ସଜାଇଥିବା ନବୀନ ପଟ୍ଟନାୟକ, ଆଜି ବନ୍ୟା ପରବର୍ତ୍ତୀ ଲୋକଙ୍କ ଦୁର୍ଦ୍ଦଶାରେ ତାଙ୍କ ଅନୁପସ୍ଥିତିକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଓଡ଼ିଶା ରାଜନୀତିକୁ ନୂଆ ମୋଡ଼ ଦେଇଛି।

Leave A Reply

Your email address will not be published.