Latest Odisha News

କଣାସ ହଇଜା; ‘ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ବଡ଼ ପରିତାପର ବିଷୟ’

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ସ୍ଥିତିରେ ପହଁଚିଛି । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି ।

ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ୬ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ହେବା ମୋତେ ଦୁଃଖିତ କରିଛି । ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଥିଲେ ବି ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ବଡ଼ ପରିତାପର ବିଷୟ ବୋଲି ବୋଲି ସେ କହିଛନ୍ତି ।

ନବୀନ ଆହୁରି କହିଛନ୍ତି, ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ । ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଇ ଥିଲେ ଏପ୍ରକାର ସ୍ଥିତି ହୋଇନଥାନ୍ତା, ଲୋକଙ୍କ ଜୀବନ ଯାଇନଥାନ୍ତା । ରାଜ୍ୟ ରାଜଧାନୀରୁ ମାତ୍ର ୫୦ କିମି ଦୂରରେ ହଇଜା ପରିସ୍ଥିତି ଉପୁଜିଥିଲେ ବି ସରକାରଙ୍କ ଏଥିପ୍ରତି କୌଣସି ନିଘା ନଥିବା ପରି ମନେ ହେଉଛି ।

ଜୀବନ ବଡ଼ ମୂଲ୍ୟବାନ, ସବୁସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷିତ କରିବା ହେଉଛି ସରକାରଙ୍କ ସବୁଠୁ ବଡ଼ କର୍ତ୍ତବ୍ୟ। ହଇଜାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବାକୁ ନବୀନ କହିଛନ୍ତି ।

Comments are closed.