Latest Odisha News

ସରକାରଙ୍କ ଗଳାରେ କନ୍ଧମାଳ କଣ୍ଟା !

ଭୁବନେଶ୍ବର: କନ୍ଧମାଳ ଟାକୁଆ ଟ୍ରାଜେଡି ପାଲଟିଛି ବିଜେପି ସରକାରଙ୍କ ଗଳାର କଣ୍ଟା । ପଦାରେ ପଡିଛି ଯୋଗାଣ ବିଭାଗର ବିଫଳତା । ବିରୋଧୀ ଲଗାତର ଘେରୁଥିବା ବେଳେ ଲୋକଙ୍କ ଆକ୍ରୋଶ ବି ସାମନାକୁ ଆସିଲାଣି । ମନ୍ତ୍ରୀ କହୁଛନ୍ତି, ରାସନ ଚାଉଳ ମହଜୁଦ ଥାଇ ଲୋକେ ପାରମ୍ପରିକ ଖାଦ୍ୟ ଭାବେ ଆମ୍ବ ଟାକୁଆ ଖାଉଛନ୍ତି । ହେଲେ ସତ ହେଲା, ଖାଦ୍ୟ ଅଭାବ ଯୋଗୁଁ ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇଥିଲେ ଲୋକେ । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କନ୍ଧମାଳ ମାଣ୍ଡିପଙ୍କା ଗାଁକୁ ଯାଇଥିବା ବେଳେ ଆରଡିସି ଓ ଜିଲ୍ଲାପାଳ ସେଠାକାର ଲୋକଙ୍କ ଆକ୍ରୋଶର ସାମନା କରିଛନ୍ତି ।

ବାର ବର୍ଷର ତପସ୍ୟା…

ଟାକୁଆ ଟ୍ରାଜେଡିକୁ ନେଇ ବିଜେପି ସରକାରକୁ ନବୀନଙ୍କ ସିଧା ଟାର୍ଗେଟ୍ । ବିଜେଡିର ବାର ବର୍ଷର ତପସ୍ୟାକୁ ଶୁଖୁଆ ପୋଡାରେ ସାରିଦେଲେ ବିଜେପି ସରକାର । ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ତେବେ ବିନା କାରଣରେ ଗରିବ ଆଦିବାସୀଙ୍କ ଚାଉଳ ବନ୍ଦ କରିଛନ୍ତି ସରକାର । ଫଳରେ ସେମାନେ ଆମ୍ବ ଟାକୁଆ ଖାଉଛନ୍ତି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ବିଜେପି ସରକାରର ବିଫଳତାକୁ ପ୍ରଶ୍ନ କରିଛନ୍ତି ନବୀନ ।

ମାଣ୍ଡିପଙ୍କାରେ ଆକ୍ରୋଶ

ପାରମ୍ପରିକ ସଉକ ନୁହେଁ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହେଲେ ଲୋକେ । ହେଲେ ଆମ୍ବ ଟାକୁଆ ସେମାନଙ୍କ ପାରମ୍ପରିକ ଖାଦ୍ୟ । ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ରାସନ ଚାଉଳ ମହଜୁଦ ଥିବା ଉପମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ କହିଥିଲେ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାଣ୍ଡିପଙ୍କା ଲୋକେ । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଯାଇଥିବା ଆରଡିସି ଓ ଜିଲ୍ଲାପାଳଙ୍କ ଆଗରେ ଆକ୍ରୋଶ ଦେଖାଇଛନ୍ତି । ମନ୍ତ୍ରୀଙ୍କ ବୟାନ ଓ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ମାଣ୍ଡିପଙ୍କା ଗାଁଲୋକେ ଗତ ୩ମାସର ରାସନ ଚାଉଳ ପାଇନଥିଲେ । ଅଘଟଣ ପରେ ତରବରିଆ ଭାବେ ଚଳିତ ମାସ ୨ତାରିଖରେ ଚାଉଳ ବଣ୍ଟାଯାଇଛି । ଖାଦ୍ୟ ଅଭାବରୁ ହିଁ ଆମ୍ବ ଟାକୁଆ ଖାଇଥିବା ଲୋକେ କହିଛନ୍ତି ।

ଭୁଲ୍ କାହାର, ବିଭ୍ରାନ୍ତ କରୁଛି କିଏ?

ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ପୁଣି କାଶୀପୁର କଳା ଅଧ୍ୟାୟର ହେଲା ପୁନରାବୃତ୍ତି? ଘଟଣାକୁ ନେଇ ମନ୍ତ୍ରୀ ଯେତେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କଲେ ବି ସତ କଣ ତାହା ଜଳଜଳ ଦିଶୁଛି। କ୍ଷମତାକୁ ଆସିବା ପରେ ବିଜେପି ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନାରେ ବିଫଳ ହୋଇଛନ୍ତି । ଓଡିଶା ଭଳି ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନତା, ରାସନ ଚାଉଳ ଉପରେ ହିଁ ନିର୍ଭରଶୀଳ । କାଶୀପୁର ଘଟଣା ପରେ ବିଜେଡି ସରକାରରେ ଏଭଳି ଅଭିଯୋଗ ଆସିନଥିଲା । ହେଲେ ସମାନ ବ୍ୟବସ୍ଥା ଆଗକୁ ନେବାରେ କେଉଁଠି ନା କେଉଁଠି ବିଜେପି ସରକାର ଫେଲ୍ ମାରିଛନ୍ତି । ଓଡିଶା ଭଳି ଚାଉଳ ବଳକା ରାଜ୍ୟରେ ଚାଉଳ ଥାଉ ଥାଉ କାହିଁକି ରାସନ ଦିଆଗଲାନି? ବିଜେପି ସରକାର ଆରମ୍ଭ କରିଥିବା ଇ-କେଓ୍ବାସି ବ୍ୟବସ୍ଥା ଏକ ଭଲ ଉଦ୍ୟମ । ଭୁତ ହିତାଧିକାରୀଙ୍କୁ କଟାଯିବ, ପ୍ରକୃତ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ପାଇବେ ।  ହେଲେ ବ୍ୟବସ୍ଥା ଲାଗୁ ହେବା ଯାଏଁ ଭୋକରେ ରହିବେ କି ଗରିବ? ସେକଥା କେମିତି ଚିନ୍ତା କଲେନି ବିଜେପି ସରକାର? ସୁଭଦ୍ରା ଭଳି ନୂଆ ଯୋଜନା ଲାଗୁ କରିବାରେ ଏତେ ବ୍ୟସ୍ତ ରହିଲେ ଯେ, ସାଧାରଣ ବଣ୍ଟନ ବ୍ୟବସ୍ଥା ଚେନ୍ ବିଗିଡିଗଲା। ଏବେ କନ୍ଧମାଳ ଟାକୁଆ ଟ୍ରାଜେଡି ନୂଆ ସରକାର ଗଳାରେ ଏମିତି କଣ୍ଟା ହୋଇ ଲାଗିଛି, ନା କାଢି ପାରୁଛନ୍ତି ନା ଢୋକି ପାରୁଛନ୍ତି । ଚିକିଟି ମଦମୃତ୍ୟୁ କି ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ଭଳି, କନ୍ଧମାଳ ପ୍ରସଙ୍ଗରେ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ଚୁପ୍ ନବସନ୍ତୁ ବିଜେପି ସରକାର । ଖୋଳତାଡ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଉତ୍ତରଦାୟିତ୍ବ ନେବା ସହ ଏଭଳି ଭୁଲ ଯେପରି ରିପିଟ୍ ନହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

Comments are closed.