Latest Odisha News

ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍

ଭୁବନେଶ୍ବର: ବିଜେଡି ବିଧାୟକ ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍। କାହିଁକି ବିଧାୟକ ଦଳ ବୈଠକକୁ ଆସିଲେନି? ସନାଙ୍କୁ ନବୀନଙ୍କ ତେରେଛା ବାଣ। ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛି ନବୀନଙ୍କ ଜବାବ ତଲବ। ବିଧାନସଭାକୁ ଯାଉଥିବା ବେଳେ ଚମ୍ପୁଆ ବିଧାୟକ ସନା ମହାକୁଡଙ୍କୁ ଦେଖି ତାଗିଦ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପଚାରିଥିଲେ, କାହିଁକି ବିଧାୟକ ଦଳ ବୈଠକରେ ସେ ଯୋଗ ଦେଲେନି? ଉତ୍ତରରେ ଅସୁସ୍ଥତା କାରଣ ଦର୍ଶାଇଥିଲେ ସନା। ହେଲେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ ନବୀନ । ବିଜେପି ପାଇଁ ଦୁର୍ବଳତା ଅଛିକି, ବୋଲି ପ୍ରଶ୍ନ କରିବା ସହ ସନାଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ ।

ବିଜେପିମୁହାଁ ସନା !

ବଜେଟ୍ ଅଧିବେଶନ ପୂର୍ବରୁ ବୁଧବାର ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ତେବେ ଏଥିରେ ଯୋଗ ଦେଇନଥିଲେ ସନାତନ ମହାକୁଡ । ଏହାକୁ ନେଇ ନବୀନ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ବିଧାନସଭାରେ ଏଣ୍ଟ୍ରି କରୁ କରୁ ସନାଙ୍କୁ ପ୍ରଶ୍ନ କରିବା ସହ ତେରେଛା ବାଣ ମାରିଥିଲେ ନବୀନ । ତେବେ ସେ ଦଳଠାରୁ ଦୂରେଇ ନାହାନ୍ତି, ବିଜେଡି ସହ ରହିଛନ୍ତି ଓ ରହିବେ ବୋଲି ସନାତନ ମହାକୁଡ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଯାଇ ଆଲୋଚନା କରୁଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ପୂରା ରାଜ୍ୟର, ବିଜେପିର ନୁହନ୍ତି ବୋଲି ସନା କହିଛନ୍ତି ।

ବରିଷ୍ଠ ନେତାଙ୍କୁ ନବୀନଙ୍କ ତାଗିଦ୍

କେବଳ ସନା ମହାକୁଡ ନୁହଁନ୍ତି, ବିଜେଡିର ବରିଷ୍ଠ ନେତାଙ୍କୁ ବି ନବୀନ ତାଗିଦ କରିଛନ୍ତି । ଦଳର ଦୁଇ ବରିଷ୍ଠ ନେତାଙ୍କୁ ନିଜେ ଫୋନ୍ କରି, କାହିଁକି ମେଳି କରୁଛ ବୋଲି ପଚରାଥିଲେ ନବୀନ । ଢେଙ୍କାନାଳ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ ଓ ପଶ୍ଚିମ ଓଡିଶାର ଜଣେ ବରିଷ୍ଠ ନେତାଙ୍କୁ ନବୀନ ଫୋନ୍ କରିଥିଲେ । ଏକାଠି ହୋଇ ଗଣମାଧ୍ୟମକୁ କହୁଥିବାରୁ ଦଳକୁ ନେଇ ଭୁଲ ବାର୍ତ୍ତା ଯାଉଛି ବୋଲି କହିଥିଲେ। ତେବେ କୌଣସି ଦଳ ବିରୋଧୀ କାମ କରାଯାଉନଥିବା ଉଭୟ କହିଥିଲେ । ତେବେ ନବୀନଙ୍କ କଲ୍ ପରେ ବି ୨୦ରୁ ଅଧିକ ବରିଷ୍ଠ ନେତା ଏକାଠି ହୋଇଥିବା ଜଣାପଡିଛି ।

ନବୀନଙ୍କ ଫୋନ୍ କଲ୍ ପଛରେ କିଏ?

ନବୀନ ନିଜ ଆଡୁ ଦଳର ବରିଷ୍ଠ ଓ ଯୁବ ନେତାଙ୍କୁ ଫୋନ୍ କରିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା । ସାଂଗଠନିକ ନିର୍ବାଚନ ଜରିଆରେ ନିଜ ସ୍ଥିତି ସୁଦୃଢ କରିବାକୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଗୋଟି ଚଳାଉଥିବା କୁହାଯାଉଛି । ତେବେ ନବୀନଙ୍କ ଫୋନ୍ କଲରେ ତାଗିଦ ସେଭଳି ପ୍ରଭାବ ପକାଉନଥିବା ଚର୍ଚ୍ଚା ହେଉଛି । ଗତ ସପ୍ତାହରେ ଖୋର୍ଦ୍ଧା ଜାତୀୟ ରାଜପଥ ନିକଟସ୍ଥ ଏକ ସ୍ଥାନରେ ଦଳର ୨୦ରୁ ଅଧିକ ନେତା ଏକାଠି ହୋଇଥିଲେ । ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବାଟବଣା କରିବାକୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଚକ୍ରାନ୍ତ କରୁଥିବା ବୈଠକରେ ମତପ୍ରକାଶ ପାଇଥିଲା । ଏପରିକି ଚକ୍ରାନ୍ତକାରୀମାନେ ନବୀନ ନିବାସରେ ଦଳର ସଭାପତିଙ୍କୁ ଭୁଲ୍ ସୂଚନା ଦେଇ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଥିଲା ।

ସନା ମହାକୁଡ ହୁଅନ୍ତୁ କି ଦଳର ଯୁବ ଓ ବରିଷ୍ଠ ନେତା, ତାଗିଦ କରି ନବୀନ ନିଜେ ଦଳର ସର୍ବମୟ କର୍ତ୍ତା ବୋଲି ସନ୍ଦେଶ ଦେଇଛନ୍ତି। ସେ ସବୁ ବୁଝୁଛନ୍ତି ଓ ଜାଣୁଛନ୍ତି । ଦଳୀୟ ବ୍ୟାପାରରେ କାହା ଉପରେ ନିର୍ଭରଶୀଳ ନୁହନ୍ତି ବୋଲି ଜଣାଇଛନ୍ତି । ସେପଟେ ମମତା ମହନ୍ତ ଓ ସୁଜିତ କୁମାର ବିଜେପିକୁ ଯିବା ପରେ ବିଧାୟକ ଦଳରେ ବି ବିଭାଜନ ହେବା ନେଇ ଆଶଙ୍କା କରୁଥାଇପାରେ ବିଜେଡି । ତେଣୁ ନବୀନ ନିଜେ ଦଳର ପୂର୍ଣ୍ଣ ନିୟନ୍ତ୍ରଣ ହାତକୁ ନେଇଥିବା କୁହାଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ସନା ବିଜେପି ସହ ସଂପର୍କରେ ରହିବା ଓ ବିଜେପିରେ ମିଶିବା ନେଇ ବି ଚର୍ଚ୍ଚା ହେଉଥିଲା । ତେବେ ପରେ ସେ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ । ଏବେ ବିଜେଡି ବିଧାୟକ ଦଳ ବୈଠକରେ ସନା ଯୋଗ ନଦେବା ଅନେକ ପ୍ରଶ୍ନବାଚୀ ଲଗାଉଛି । ସେପଟେ ସନା ମହାକୁଡଙ୍କ ବୟାନରେ ଅନେକ କିଛି ରହିଛି । ଜିଲ୍ଲାର ଅନ୍ୟ ଦୁଇ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସହ ସଂପର୍କରେ ରହିଥିବା କହିଛନ୍ତି ସନା। ମୁଖ୍ୟମନ୍ତ୍ରୀ ଭାବେ ବିକାଶ କାମକୁ ନେଇ ଭେଟିବା ସ୍ବାଭାବିକ, ତେବେ ନିବିଡତା ବଢିଲେ ଭିନ୍ନ ଚର୍ଚ୍ଚା ହେବ । ଯାହା ଆଗାମୀ ଦିନର ରାଜନୀତିକୁ ପ୍ରଭାବିତ କରିପାରେ।

Comments are closed.