Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଗୃହରେ ଅନୁପସ୍ଥିତ ରହିପାରିବେ ନାହିଁ ବିଧାୟକ !

ଭୁବନେଶ୍ୱର: ବିଜୁ ଜନତା ଦଳର ବିଧାୟକଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବେ ଦଳର ମୁଖିଆ ନବୀନ ପଟ୍ଟନାୟକ ।

ଏନେଇ ବୁଧବାର ଦିନ ବିଧାନସଭା ଆରମ୍ଭ ପୂର୍ବରୁ ଆୟୋଜିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗୃହରେ ଉପସ୍ଥିତ ହେବାକୁ ସବୁ ବିଧାୟକ ସମୟାନୁବର୍ତ୍ତୀ ଓ ନିଷ୍ଠାବାନ ହେବା ଉଚିତ। ଯଦି କେହି ୨ ଦିନରୁ ଅଧିକ ଛୁଟି ଆବଶ୍ୟକ କରନ୍ତି, ମୋଠାରୁ ମଞ୍ଜୁରୀ କରାଇବା ଆବଶ୍ୟକ। ଏଥର ସଦସ୍ୟମାନଙ୍କ ଉପସ୍ଥାନ ଉପରେ ମୁଁ ଗୁରୁତ୍ୱାରୋପ କରୁଛି। ସଦସ୍ୟମାନେ ସକ୍ରିୟ ଭାବେ ଆଲୋଚନାରେ ଭାଗ ନେବା ଉଚିତ। ବିଶେଷ ଭାବେ, ପ୍ରଥମ ଥର ଲାଗି ସଦସ୍ୟ ହୋଇଥିବା ବିଧାୟକମାନଙ୍କ ପ୍ରଦର୍ଶନ ଉପରେ ମୁଁ ନଜର ରଖିବି। ଦୈନିକ ୧୧ଟା ୩୦ ସୁଦ୍ଧା ଗୃହରେ ସଦସ୍ୟମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ସରକାରୀ ଦଳର ମୁଖ୍ୟ ସଚେତକ ମୋ ନିକଟରେ ରିପୋର୍ଟ ଦାଖଲ କରିବେ” ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଏହାସହ ବିଧାୟକମାନେ ଏଥର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଦ୍ୱିମାସିକ ରିପୋର୍ଟ ଦାଖଲ କରିବେ। ଏହି ରିପୋର୍ଟର ଫର୍ମା ସଂକ୍ରାନ୍ତରେ ପ୍ରସ୍ତବ, ଢାଞ୍ଚା ଓ ବିଷୟବସ୍ତୁ କ’ଣ ହେବ ତାହା ନିର୍ଦ୍ଧାରଣ କରିବା ଲାଗି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ ଏବଂ କିଶୋର ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଓଡ଼ିଶାର ଜନସାଧାରଣ ହେଉଛନ୍ତି ଆମମାନଙ୍କର ମାଲିକ। ଆମେ କ୍ଷମତାରେ ଥିବା ପ୍ରତିଟିକ୍ଷଣକୁ ପୂର୍ଣ୍ଣହୃଦୟରେ ସେମାନଙ୍କ ସେବାରେ ବିନିଯୋଗ କରିବା। ବିଜୁ ଜନତା ଦଳ ଉପରେ ଲୋକମାନଙ୍କର କେତେ ଭରସା ତାହା ପାଟକୁରା ଏବଂ ବିଜେପୁରକୁ ମିଳିଥିବା ଜନାଦେଶ ସ୍ମରଣ କରାଇ ଦେଉଛି। ଏହା ଆମକୁ ସ୍ୱଚ୍ଛ ଏବଂ ପ୍ରତିବଦ୍ଧ ଭାବେ ରାଜ୍ୟବାସୀଙ୍କ ଲାଗି କଠୋର ପରିଶ୍ରମ କରିବା ଦିଗରେ ଅଗ୍ରସର କରାଉ” ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.