Latest Odisha News

ହଟିଲା ଓଡିଶା ମୁଖ୍ୟମନ୍ତ୍ରୀ ସଂଜ୍ଞା, ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରହିଲା ଖାଲି ବିଜେଡି ସଭାପତି

ଭୁବନେଶ୍ବର: ସରିଯାଇଛି ନବୀନ ଯୁଗ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋହନ ଯୁଗ । ୨୪ ବର୍ଷ ଧରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଗରେ ଆଜିଠୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଂଜ୍ଞା ଲାଗିବ । ଏହାରି ଭିତରେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ମୁଖ୍ୟମନ୍ତ୍ରୀ ଟ୍ୟାଗ ହଟାଇଛନ୍ତି ନବୀନ ପଟ୍ଟନାୟକ । ଏବେ ଖାଲି ଲେଖାଅଛି ବିଜୁ ଜନତା ଦଳ ସଭାପତି ।

ସୂଚନାଯୋଗ୍ୟ,  ନବୀନଙ୍କ ଏକ୍ସ ହ୍ୟାଣ୍ଡେଲରେ ଆଗରୁ ଲେଖାଥିଲା, ‘୨୦୦୦ ଠାରୁ ଓଡିଶା ମୁଖ୍ୟମନ୍ତ୍ରୀ’ ଏବଂ ଏହା ତଳକୁ ‘ ବିଜେଡି ଦଳର ସଭାପତି’ ମଧ୍ୟ ଲେଖାରହିଥିଲା । ଯାହା ଆଜି ଖାଲି ବିଜେଡି ସଭାପତି ରହିଥିବା ବେଳେ  ୨୦୦୦ ଠାରୁ ମୁଖ୍ୟମନ୍ତ୍ରୀ ଟାଇଟେଲକୁ ହଟାଇ ଦିଆଯାଇଛି ।

୨୪ ବର୍ଷ ଧରି ଓଡିଶାରେ ନିରଙ୍କୁଶ ଶାସନ କରିଆସୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୯ ମସିହା ବାତ୍ୟାରେ ଯେପରି ଓଡିଶାବାସୀଙ୍କ ପାଇଁ  ଦେବଦୂତ ସାଜିଥିଲେ ନବୀନ । ପରେ ୨୦୦୦ ମସିହାରେ ଓଡିଶାର ଶାସନଭାର ଗ୍ରହଣ କଲେ । ସେବେଠୁ ଯେମିତି ଆଉ କାହା ଉପରେ ଭରସା କରିନାହାନ୍ତି ଓଡିଶାବାସୀ । ଦୀର୍ଘ ୨୪ ବର୍ଷ ନିଶ୍ଚିତରେ ଚଲାଇଆାସୁଥିଲେ ଶାସନ । ହେଲେ ଏଥର ୨୦୨୪ ନିର୍ବାଚନରେ ପରାଜୟର ସ୍ବାଦ ଚାଖିଛନ୍ତି ନବୀନ । ମୋଦୀ ପାଓ୍ବାରରେ ନବୀନ ସରକାରର ପତନ ହୋଇଛି । ହାତରୁ ଚାଲିଯାଇଛି ‘ମୋ ଓଡିଶାର’ କହୁଥିବା ଓଡିଶାର ଶାସନ । ଓଡିଆ ଅସ୍ମିତା ଓ ପାଣ୍ଡିଆାନ ଫ୍ୟାକ୍ଟର ନବୀନଙ୍କୁ ଏଥର ଓଡିଶାବାସୀଙ୍କ ବିଶ୍ବାସ ଠୁ ଦୂରେଇ ନେଇଥିଲେ । ଯାହାର ବଡ ଫାଇଦା ଉଠାଇଥିଲେ ବିଜେପି ଦଳ । ନବୀନଙ୍କ ହାତରୁ ଓଡିଶା ସାମ୍ରାଜ୍ୟ ଛଡାଇଆଣିଛନ୍ତି । ଆଉ ଏଥର ଓଡିଶାରେ ହେବାକୁ ଯାଉଛି ବିଜେପି ସରକାର । ଆଉ ମାତ୍ର କେଇଟା ଘଣ୍ଟା । ୨୪ ବର୍ଷ ପରେ ଓଡିଶାକୁୂ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ଅନେକ ଉତ୍କଣ୍ଠା ପରେ ଗତକାଲି କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିଲେ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂ । ବିଧାୟକ ଦଳ ବୈଠକ ମଧ୍ୟ ମୋହନଙ୍କ ନାଁରେ ମୋହର ମାରିଛି ।  ଶପଥ ଗ୍ରହଣ ପରେ ଆଜିଠୁ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ । ଆଜି ଅପରାହ୍ଣରେ ଜନତା ମଇଦାନରେ ଶପଥ ନେବେ ଓଡିଶାର ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପରେ ଓଡିଶାରେ ଚାଲିବ ମୋହନ ସରକାର ।

Comments are closed.