ଭୁବନେଶ୍ୱର: ଓଡ଼ିଶାର ପୂର୍ବ ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ଥିବା ଭିକେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି ।
ନବୀନ ନିବାସରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଭିକେ ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ ବରଂ ରାଜ୍ୟ ପାଇଁ ମଧ୍ୟ ଅନେକ କାମ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ୍ ନୁହେଁ । ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି । ସେ କୌଣସି ଦଳୀୟ କାର୍ଯ୍ୟରେ ସାମିଲ ହେଉ ନାହାନ୍ତି । ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ’ ।
ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ । ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି । ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ।
ଅନ୍ୟପଟେ ଆଜି ବିଜେଡି ପକ୍ଷରୁ ବିଭିନ୍ନ ହୋଟେଲରେ ବସିଥିବା ନେତାଙ୍କ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ । ବୈଠକ ପାଇଁ ଶଙ୍ଖଭବନ ଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ୱାକଫ ବିଲ୍ ଭୋଟିଂକୁ ନେଇ ବିଜେଡି ମଧ୍ୟରେ ଫାଟ ହୋଇଛି । ଓ୍ବାକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ଆରମ୍ଭ ହୋଇଥିବା ମତଭେଦ ଏବେ ବଡ ରୂପ ନେଇଛି । ଲଗାତାର କିଛି ଦିନ ଧରି ବିଜେଡିର ନେତା ଓ ସାଂସଦ ଭିକେ ପାଣ୍ଡିଆନକୁ ନେଇ ମୁହାଁମୁହିଁ ହୋଇଛନ୍ତି । କିଛି ନେତା ପାଣ୍ଡିଆନଙ୍କ ସପକ୍ଷରେ କହୁଥିବା ବେଳେ ଆଉ କିଛି ତାଙ୍କୁ ବିରୋଧ କରିଛନ୍ତି । ଏହାକୁ ନେଇ ଶେଷରେ ଏ ପ୍ରସଙ୍ଗରେ ମୁହଁ ଖୋଲି ପାଣ୍ଡିଆନଙ୍କ ସମର୍ଥନରେ ବାହାରିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ନବୀନ ।
Comments are closed.