ଭୁବନେଶ୍ବର: ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ଡ଼ାକ୍ତରଖାନାରୁ ଆଜି ଡିସଚାର୍ଜ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ I ଏହି ସପ୍ତାହରେ ସେ ମୁମ୍ବାଇରେ ରହିବା ନେଇ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ତାଙ୍କର ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ।
ସଂତୃପ୍ତ ମିଶ୍ର କହିଛନ୍ତି ଯେ, ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଆଉ କିଛି ଦିନ ମୁମ୍ବାଇରେ ରହି ଆବଶ୍ୟକ ଚିକିତ୍ସା ଓ ପର୍ଯ୍ୟବେକ୍ଷଣ ଜାରି ରଖିବେ । ତେବେ କେବେ ଭୁବନେଶ୍ବର ଫେରିବେ ସେନେଇ ଶ୍ରୀ ମିଶ୍ର ନିର୍ଦ୍ଧିଷ୍ଟ ସମୟ ସଂପର୍କରେ ସୂଚନା ଦେଇ ନାହାନ୍ତି ।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ଚିକିତ୍ସା ପାଇଁ ଜୁନ୍ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ । ସେଠାରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଜୁନ୍ ୨୨ ତାରିଖରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।
ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ । ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ । ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ । ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି । ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଁଛି । ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି । ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ।
Comments are closed.