ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ କରିବା ପ୍ରସଙ୍ଗରେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ବଢିବାରେ ଲାଗିଛି। ଏପରିକି ଉଭୟ ବିଜେଡ଼ି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ। ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସକୁ ନେଇ ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା ସରକାରଙ୍କୁ ଟାର୍ଗେଟ କରି କହିଥିବା ବେଳେ ଅନ୍ୟପକ୍ଷରେ ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନେଇ କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ବିଜେଡ଼ି ନେତା ସଞ୍ଜୟ କହିଛନ୍ତି, ବିଜେଡ଼ି ସଭାପତି ନବୀନ ପଟ୍ଟନାୟଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଚରଣ ମୋତେ ବିସ୍ମିତ କରିଛି। ମୁ ବ୍ୟକ୍ତିଗତ ଭାବରେ ଏହି ଘଟଣାରେ ମର୍ମାହତ। ନବୀନ ବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ନେତାଙ୍କ ସୁରକ୍ଷା ସରକାରଙ୍କର ଉତ୍ତର ଦାୟିତ୍ବ ହେବା ଦରକାର। ସରକାର ଯେଉଁ ତ୍ରୁଟି କରିଛନ୍ତି ତାକୁ ସଂଶୋଧନ କରନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଯାହା ଜୀବନ ପ୍ରତି ବିପଦ ଅଛି ତାକୁ ସୁରକ୍ଷା ଦେବାର ଦାୟିତ୍ବ ସରକାରର। କିନ୍ତୁ ସେମାନେ କି କାମ କରିଛନ୍ତି ଯେ ଓଡ଼ିଶା ଭଳି ଏକ ଶାନ୍ତିପୂର୍ଣ୍ଣ ରାଜ୍ୟରେ ସେମାନଙ୍କୁ ସିକ୍ୟୁରିଟି ଦିଆଯିବ ବୋଲି ସେ ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି। ସେମାନେ ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି ସେଥିପାଇଁ ସେମାନଙ୍କ ମନରେ ଭୟ ଅଛି। ମୁଁ ବିରୋଧୀ ଦଳ ନେତା ଥିଲା ବେଳେ ସୁରକ୍ଷା ନେଇ ନଥିଲି। ଏବେ ବିଧାୟକ ଭାବରେ ବି ସୁରକ୍ଷା ନେଇନାହିଁ। ଯେଉଁ ନିୟମ ରହିଛି ସେହି ଅନୁସାରେ ସରକାର ନିଷ୍ପତ୍ତି ନେଇଥିବା ଜୟନାରାୟଣ କହିଛନ୍ତି।
Comments are closed.