Latest Odisha News

‘ଜନଜାତିଙ୍କ ବିକାଶ, ଜୀବିକା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜୁ ଜନତା ଦଳ କାମ ଜାରି ରଖିବ’

ଭୁବନେଶ୍ୱର: ଆଜି ବିଶ୍ୱ ଜନଜାତି ଦିବସ ଶଙ୍ଖ ଭବନ ଠାରେ ସମାରୋହ ସହକାରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଥିଲେ ଯେ, ଓଡିଶା ର ଲୋକ ସଂଖ୍ୟା ର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି ତେଣୁ ଓଡିଶା ପାଇଁ ଆଜିର ଦିବସ ବିଶେଷ ଗୁରୁତ୍ୱ ରଖେ । ଜନଜାତିଙ୍କ କଲ୍ୟାଣ, ବିକାଶ ସହିତ ସେମାନଙ୍କ ସଂସ୍କୃତି ର ସୁରକ୍ଷା ପାଇଁ ବିଜେଡି ପ୍ରତିଶୃତିବଦ୍ଧ ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ, ବିଜେଡି ସରକାର ସମୟରେ ଜନଜାତି ଭାଇ ଭଉଣୀ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ବାରିପଦା ରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ରାଉରକେଲା ରେ ଭଗବାନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରାଯାଇଛି । ସେହିପରି ସାନ୍ତାଳୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଥିଲା ।

ହୋ ଭୂମିଜ ସଉରା ଓ ମୁଣ୍ଡାରୀ ଆଦି ଜନଜାତି ଭାଷା କୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦ ର ସାମିଲ କରିବା ଏବଂ 169 ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକା ରେ ସାମିଲ କରିବା ପାଇଁ ବିଜେଡି ସରକାର ସମୟରେ ଦିଆଯାଇଥିବା ପ୍ରସ୍ତାବ ଉପରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଶ୍ରୀ ପଟ୍ଟନାୟକ ଦାବି ଜଣାଇଥିଲେ ।

ସେ ପୁଣି କହିଥିଲେ ଯେ, ଜନଜାତି ବର୍ଗ ର ଲୋକ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଠାରୁ ଆରମ୍ଭ କରି ଜଙ୍ଗଲ ଜମି ଅଧିକାର ଆଦି ବିଭିନ୍ନ କ୍ଷେତ୍ରରେ ବିଜେଡି ସରକାର ସମୟର ବହୁତ ଭଲ କାମ ହୋଇଛି । ଜନଜାତିଙ୍କ ସଂସ୍କୃତି ର ସୁରକ୍ଷା ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ ସାରା ଦେଶ ର ଏକ ଅଭିନଵ ପଦକ୍ଷେପ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଥିଲେ । ଶିକ୍ଷାର ପ୍ରସାର ଓ ସେମାନଙ୍କ ଜୀବିକା ର ବିକାଶ ଏବଂ ସେମାନଙ୍କ ସାଂସ୍କୃତିକ ପରିଚୟ ର ସୁରକ୍ଷା ସେମାନଙ୍କୁ ସଶକ୍ତ କରିବ ବୋଲି ମତ ଦେଇ ଏ ଦିଗରେ କାମ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

Comments are closed.