ଭୁବନେଶ୍ବର: ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ବେଳେ ଶଙ୍ଖଭବନରେ ମଧ୍ୟ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ ସାରା ଓଡିଶାବାସୀ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ସହ ଗତ ନିର୍ବାଚନରେ ବିଜେଡି କାହିଁକି ହାରିଲା ପରିଶେଷରେ ନିଜର ମନ୍ତବ୍ୟ ରଖିଛନ୍ତି ସୁପ୍ରିମୋ ନବୀନ ।
ତେବେ ବିଜେଡି ହାରିବା ପଛରେ ରାଜ୍ୟ ରାଜନୀତିରେ ବିଭିନ୍ନ କାରଣ ଦର୍ଶାଯାଇଥିବା ବେଳେ ଏଥିରେ ପଦଟିଏ ବି କହିନଥିଲେ ନବୀନ । ହେଲେ ଆଜି ୨୮ ତମ ପ୍ରତିଷ୍ଠା ଦିବସରେ ନୀବନ କହିଛନ୍ତି, ମୁଁ ଜାଣିଛି ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ବିଜେଡି ଗତ ନିର୍ବାଚନରେ ହାରିଲା କେମିତି? ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ କି ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି । ହେଲେ ଏଥିରେ ଆମର ଭୁଲ୍ ରହିଲା ଯେ, ଆମେ ବିଜେପି ମିଛର ଠିକ୍ ଭାବରେ ପ୍ରତିଉତ୍ତର ଦେଇପାରିଲୁ ନାହିଁ । ସେମାନଙ୍କ ନକରାତ୍ମକ ଅଭିଯାନ ଆଉ ସୋସିଆଲ ମିଡିଆରେ ମିଉ କାହାଣୀର ଆମେ ଉଚିତ୍ ଜବାବ ଦେଇପାରିଲୁ ନାହିଁ । ଯେଉଁ କାରଣରୁ ବିଜେଡି ପରାଜୟ ବରଣ କଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରି ଚାଲିବ । କିଛି ଲୋକ କହିଥିଲେ ଏ ଦଳ ରହିବନି କି ଚାଲିବନି । ଆଛ ମୋତେ ମଧ୍ୟ ରାଜନୀତି ଜଣାନାହିଁ ବୋଲି କହିଥିଲେ । ହେଲେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ମୁଁ ୫ ଥର ସେବାର ସୁଯୋଗ ପାଇଛି । ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି । ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାରକୁ ଖାଦ୍ୟ ପଠାଉଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ମଡେଲ ରାଜ୍ୟ ହୋଇଛି ଓଡିଶା । ଏଥିସହିତ ଆଜି ଓଡ଼ିଶା କ୍ରୀଡ଼ା ରାଜଧାନୀର ମାନ୍ୟତା ପାଇଛି । ଆଉ ଆଗକୁ ମଧ୍ୟ ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ । ଆଉ କେନ୍ଦ୍ର ଅବିଚାର ବିରୁଦ୍ଧରେ ଲଢେଇ ଜାରି ରଖିବ ।
ଅନ୍ୟପଟରେ ବିଜେପି ସରକାର ଉପରେ ବର୍ଷି ନବୀନ କହିଛନ୍ତି, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଚାଷୀ କାନ୍ଦୁଛି। ମିଶନ ଶକ୍ତି ମାମାନେ ମଧ୍ୟ ଦୁଃଖରେ ଅଛନ୍ତି । ହେଲେ କେବେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଏଥିସହିତ ଓଡିଶାବାସୀଙ୍କ ସ୍ବାର୍ଥରେ ସରକାରଙ୍କୁ କଡା କାଉଣ୍ଟର କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ନବୀନ ।
ଆଉ ବିଜେଡିର ଆୟୁଷ ପ୍ରସଙ୍ଗକୁ କଡା ସମାଲୋଚନା କରି ନବୀନ କହିଛନ୍ତି, କିଛି ନିନ୍ଦୁକ କହୁଛନ୍ତି ଯେ ବିଜେଡିର ଭବିଷ୍ୟତ ନାହିଁ । କିନ୍ତୁ ମୁଁ ଦୃଢ଼ତାର ସହ କହିବାକୁ ଚାହେଁ, ବିଜେଡି ଭବିଷ୍ୟତ ଉଜ୍ବଳ । ସବୁଦିନ ପାଇଁ ବିଜେଡି ସମସ୍ତଙ୍କ ହୃଦୟରେ ରହିଯାଇଛି, ଯାହା ଆହୁରି ୧୦୦ ବର୍ଷ ଓଡିଶାବାସୀଙ୍କ ସେବା କରିବ ବୋଲି କହିଛନ୍ତି ନବୀନ ।