Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲଖିଲେ ନବୀନ; କହିଲେ, ଗଞ୍ଜାମ ବନ୍ୟା ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କ ଅବହେଳା ଦାୟୀ…

ଭୁବନେଶ୍ବର: ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଞ୍ଜାମ ବନ୍ୟା ପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି କରିଛନ୍ତି ନବୀନ । ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠିରେ ଦର୍ଶାଇଛନ୍ତି, ‘ନଭେମ୍ବର ୭ ତାରିଖରେ ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଶେରଗଡ଼, ଆସିକା ଓ ସୋରଡ଼ା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହା ସହ ଚାଷୀ, ମହିଳା, ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସହ ସେ ଆଲୋଚନା କରିଥିବା ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି । ବନ୍ୟା ଯୋଗୁଁ ଭିତ୍ତିଭୂମି, ଫସଲ ଓ ଜୀବିକା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସହ ଜୀବନହାନି ଘଟିଛି ।

ଗଞ୍ଜାମ ଜିଲ୍ଲାରେ ବନ୍ୟା ମନୁଷ୍ୟକୃତ ବୋଲି ନବୀନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, IMD ପକ୍ଷରୁ ଅକ୍ଟୋବର ୨୩ରୁ ବାତ୍ୟା ସତର୍କ ସୂଚନା ମିଳିଥିଲେ ମଧ୍ୟ ଡ୍ୟାମ୍ ଜଳ ଆଗୁଆ ଛଡ଼ାଯାଇ ନଥିଲା । ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ଅଧିକ ଭୟଙ୍କର ହୋଇଥିଲା । ଗେଟ୍ ଖୋଲିବା ଆଗରୁ ଲୋକଙ୍କୁ ପର୍ଯ୍ୟାପ୍ତ ସତର୍କ ସୂଚନା ଦିଆଯାଇ ନଥିଲା । ଉଦ୍ଧାର ଓ ରିଲିଫ୍ କାମରେ ବିଳମ୍ବ ହେବାରୁ ଲୋକେ ଦିନ ଦିନ ଧରି ଖାଦ୍ୟ-ପାଣି ବିନା ଫସି ରହିଥିଲେ । ସରପଞ୍ଚ ଓ ମିଶନ ଶକ୍ତିକୁ ଅଣଦେଖା କରାଯିବାରୁ କମ୍ୟୁନିଟି ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ ।

ସରକାର ଅତୀତରେ ସଫଳ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ଅଧ୍ୟୟନ କରିବା ଦରକାର । ଏହା ସହ ଏହି ବିପର୍ଯ୍ୟୟରେ ହୋଇଥିବା ଅବହେଳା ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି । ଲୋକଙ୍କ ଦାବି ପୂରଣ ନହେଲେ ବିଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.