Latest Odisha News

BREAKING NEWS

Nagpur Couple Death Mystery: ଦ୍ୱିତୀୟ ବିବାହ, ବନ୍ଦ ଘର ଓ ଫୋନ୍ ନଉଠାଇବାରୁ ସସପେନ୍ସ, ଝୁଲନ୍ତା ମୃତଦେହ ଉଦ୍ଧାର

ନାଗପୁର: ନାଗପୁରରେ ଦମ୍ପତ୍ତିଙ୍କ ସଂଦେହଜନକ ମୃତ୍ୟୁ । ନାଗପୁର ବେସା ଅଂଚଳରେ ଏକ ବନ୍ଦ ଘରୁ ସ୍କୁଲ ଶିକ୍ଷକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀପାବଳି ପାଳନ ପାଇଁ ଗଡଚିରୋଲିରୁ ଫେରିବାର କିଛିଦିନ ପରେ ଘଟିଛି ଏହି ଅଘଟଣ । ମୃତକ ହେଲେ ୩୮ ବର୍ଷୀୟ ମନୀଷ ପ୍ରହଲ୍ଲାଦ ଗନବୀର ଓ ୩୫ ବର୍ଷୀୟ ସ୍ତ୍ରୀ ସୋନାଲୀ ଗନବୀର । ଚଳିତ ବର୍ଷ ଅଗଷ୍ଟ ମାସରେ ଦୁହେଁ ବିବାହ କରିଥିଲେ । ଗଡଚିରୋଲି ସୂର୍ଯଗଡର ଏକ ସ୍କୁଲରେ ଶିକ୍ଷକତା କରୁଥିଲେ ସୋନାଲୀ । ନାଗପୁର ବେସାର ରେବତୀନଗରରେ ଥିବା ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ବେଲଟାରୋଡି ଥାନା ପୋଲିସ । ଉଭୟ ଦମ୍ପତ୍ତି ମନୀଷ ଓ ସୋନାଲୀ ଏବଂ ମନୀଷଙ୍କ ପରିବାରଲୋକ ଏକାଠି ଥିଲେ । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ବିହାର ବାହାରି ଯାଇଥିଲେ ପରିବାର । ଦମ୍ପତ୍ତି ଘରେ ଏକା ଥିଲେ । ପରିବାରଲୋକ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁହେଁ ଫୋନ୍ ଉଠାଇନଥିବା ପରିବାର ଲୋକ କହିଛନ୍ତି । ଶେଷରେ ରବିବାର ପରିବାର ଲୋକ ଜଣେ ସମ୍ପର୍କୀୟଙ୍କୁ ଘରେ ଦେଖିବାକୁ ପଠାଇଥିଲେ । ସମ୍ପୃକ୍ତ ସମ୍ପର୍କୀୟ ଘର ବାହାରୁ ତାଲା ପଡିଥିବା ଦେଖିଥିଲେ । ତାପରେ ପ୍ରଥମ ମହାଲରେ ଝରକା ଦେଇ ଦେଖିବାକୁ ଚେଷ୍ଟା କରିବା ବେଳେ ଉଭୟଙ୍କ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ପଡୋଶୀଙ୍କ କହିବା ଅନୁସାରେ ଗତ ଶୁକ୍ରବାର ଉଭୟ ଦମ୍ପତ୍ତି ବିଳମ୍ବିତ ରାତିରେ ଜୋର ପାଟି କରି ଯୁକ୍ତିତର୍କ ହେଉଥିଲେ । ଏବଂ ତାପରେ ଘର ଭିତରୁ କୌଣସି ସ୍ୱର ଶବ୍ଦ ଶୁଭିନଥିଲା ।
ମନୀଷ ଏବଂ ସୋନାଲିଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ପ୍ରଥମ ବିବାହରେ ସମସ୍ୟା ଉଭୟ ଅନୁଭବ କରିସାରିବା ପରେ ହିଁ ଦ୍ୱିତୀୟ ବିବାହ କରିଥିଲେ । ତଥାପି ଏପରି କାହିଁକି ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି । ପରିବାରଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି । ତେବେ ଘରୁ କୌଣସି ସୁଇସାଇଡ ନୋଟ୍ ଜବତ ହୋଇନାହିଁ । ତେବେ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ଜାଣିବାକୁ ଉଭୟଙ୍କ ଫୋନ୍ ମଧ୍ୟ ଯାଂଚ ଚଳାଇଛି ପୋଲିସ । ଉଭୟ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପାଠାଇଛି ପୋଲିସ । ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାଏ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.