Latest Odisha News

BREAKING NEWS

ମୋଦୀଙ୍କୁ ନବୀନଙ୍କ ଧନ୍ୟବାଦ ବାର୍ତ୍ତା: ନିର୍ବାଚନ ପରବର୍ତ୍ତୀ ବୁଝାମଣା ନେଇ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଳୟଙ୍କରୀ ବାତ୍ୟା ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାର ବାତ୍ୟା ପୂର୍ବରୁ ଏବଂ ପରେ ରାଜ୍ୟ ସରକାରଙ୍କୁ ଦେଇଥିବା ସହଯୋଗକୁ ନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହିତ ଅଜସ୍ର ଧନ୍ୟବାଦ ଜଣାଇଥିଲେ । ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିବା ଧନ୍ୟବାଦ ପତ୍ରକୁ ନେଇ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଏବେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଧନ୍ୟବାଦ ପତ୍ରକୁ ଲକ୍ଷ୍ୟ କରି ଜାତୀୟ ଗଣମାଧ୍ୟମରେ ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡ଼ି ମଧ୍ୟରେ ରାଜନୈତିକ ବୁଝାମଣା ହେବାର ସମ୍ଭାବନା ରହିଛି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଏନେଇ ‘ଟାଇମ୍ସ ନାଓ’ ଗଣମାଧ୍ୟମ ପ୍ରକାଶ କରି କହିଛି ଯେ, ନବୀନଙ୍କ ଏପରି ଇଶାରାରେ ମୋଦୀ ତଥା ତାଙ୍କ ଦଳ ବିଜେପି ଏବେ ବେଶ୍ ଆଶ୍ୱସ୍ତ ଅନୁଭବ କରିପାରୁଥିବେ, କାରଣ ନିର୍ବାଚନ ପରେ ସରକାର ଗଠନ କରିବା ଲାଗି ଏହି ଜାତୀୟ ଦଳ ସମଭାବାପନ୍ନ ଦଳଗୁଡ଼ିକର ସହଯୋଗ ଅପେକ୍ଷାରେ ରହିଥିଲା ।

“ନିର୍ବାଚନ ପ୍ରଚାର ସମୟରେ ଏହି ଦୁଇ ଦଳ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇନଥିଲେ, ମାତ୍ର ଏହା (ଧନ୍ୟବାଦ ବାର୍ତ୍ତା) ଉଭୟ ଦଳ ଲାଗି ଏକ ଶୁଭେଚ୍ଛା ବାର୍ତ୍ତା । ଏହା ବିଜେପିକୁ ବଡ଼ ଚିନ୍ତାରୁ ମୁକ୍ତ କରିଛି ତଥା ପ୍ରଧାନମନ୍ତ୍ରୀଙ୍କ ଲାଗି ଏହା ଏକପ୍ରକାର ଆଶ୍ୱସ୍ତି କହିଲେ ଭୁଲ୍ ହେବନାହିଁ” ବୋଲି ଏହି ଚ୍ୟାନେଲ୍ ପକ୍ଷରୁ ବାରମ୍ବାର ଉଲ୍ଲେଖ କରାଯିବା ସହିତ ଏହି ଚିଠିଟିକୁ ବାରମ୍ବାର ପ୍ରଦର୍ଶି କରାଯାଇଛି ।

ସେହିପରି ‘ଇଣ୍ଡିଆଟୁଡ଼େ’ ଏହାକୁ ବର୍ଣ୍ଣନା କରି କହିଛି ଯେ, ଏହା ନିର୍ବାଚନ ପରବର୍ତ୍ତୀ ମେଣ୍ଟର ଏକ ଇଶାରା ସଦୃଶ ।

“ଭୋଟଗଣତି ଏବଂ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆଉ ଗୋଟିଏ ମାତ୍ର ନିର୍ବାଚନ ପର୍ଯ୍ୟାୟ ବାକି ରହିଛି । ଫଳାଫଳ ଘୋଷଣା ପରେ ଏନଡ଼ିଏ ପୁନର୍ବାର ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ କି ନାହିଁ ସେନେଇ ଅନିଶ୍ଚିତତା ରହିଛି, ତେବେ ଅନେକ ଗୁଡ଼ିଏ ନିର୍ବାଚନ ବାକି ରହିଥିବା ବେଳେ ଏହା ଏନଡ଼ିଏ ଶିବିରରେ ଏକପ୍ରକାର ସାମର୍ଥ୍ୟ ଯୋଗାଇଛି ।” ଏହା ଖବରରେ ଦର୍ଶାଯାଇଛି ।

ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି ଯେ, ଗତସପ୍ତାହରେ ବାତ୍ୟା ପରେ ପରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିବାକୁ ପଛାଇନଥିଲେ । ନବୀନଙ୍କୁ ମୋଦୀ ପ୍ରଶଂସା କରି କହିଥିଲେ, “ନବୀନବାବୁଙ୍କ ଯୋଜନା ପ୍ରକୃତରେ ବେଶ୍ ସୁନ୍ଦର ଏବଂ ଯାହାଦ୍ୱାରା କି ହଜାର ହଜାର ଜୀବନକୁ ବଞ୍ଚାଇଦିଆ ଯାଇ ପାରିଛି ।”

ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଗୃହ ଯୋଗାଇଦେବାକୁ କେନ୍ଦ୍ରର ସହାୟତା ଚାହିଁଛନ୍ତି । ଯାହାଦ୍ୱାରାକି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ଗୃହ ଯୋଗାଇ ଦିଆ ଯାଇପାରିବ ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି, ୧୪ଟି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରାୟ ୫ଲକ୍ଷ ଗୃହ ସମ୍ପୂର୍ଣ୍ଣ ରୂପେ କିମ୍ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିସହିତ ପୁରୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ପତ୍ରରେ ଉଲ୍ଲେଖ ହୋଇଛି ।

Leave A Reply

Your email address will not be published.