Latest Odisha News

BREAKING NEWS

ଆଜି ଓଡ଼ିଶାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ରାମମନ୍ଦିର, ଉତ୍ସବମୂଖର ରାଜ୍ୟ

ନୟାଗଡ଼: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରାଣ ପ୍ରତିଷ୍ଠା ଲାଭ କରିବ ଅଯୋଧ୍ୟା ରାମମନ୍ଦିର। ଏଥିପାଇଁ ତମାମ ଦେଶରେ ରାମମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଓଡ଼ିଶାରେ ନୟାଗଡ଼ ଜିଲ୍ଲାରେ ବି ପ୍ରତିଷ୍ଠା ହେବାକୁ ଯାଉଛି ଏକ ଭବ୍ୟ ରାମମନ୍ଦିର। ଯାହା ରହିଛି ଭାପୁର ବ୍ଲକ ଫତେଗଡ଼ରେ। ଆଜି ଅର୍ଥାତ ୨୨ ତାରିଖରେ ଏହି ଆକର୍ଷଣୀୟ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବ।

ପ୍ରତିଷ୍ଠା ଅବସରରେ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଯୋଗଦେବେ । ପ୍ରତିଷ୍ଠା ପରେ ପ୍ରଥମେ ରାମଙ୍କୁ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ। ପାହାଡ଼ ଶୀର୍ଷରେ ରାମ ମନ୍ଦିରର ସୁନ୍ଦର କୀର୍ତ୍ତିରାଜି ଦେଖିବାକୁ ମିଳିଛି । ଆଖି ଲାଖି ଗଲା ପରି କାରୁକାର୍ଯ୍ୟ ସହ ପ୍ରାକୃତିକ ପରିବେଶରେ ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ରହିଛି ଏହି ମନ୍ଦିର।

ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ୱ ପୁଞ୍ଜିରେ ମନ୍ଦିର ନିର୍ମାଣ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ରାମ ମନ୍ଦିର ନିର୍ମାଣ କରିଛନ୍ତି । ରେଖ, ଭଦ୍ର, ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ ୬୫ ଫୁଟ । କେବଳ ବଉଳମାଳା ପଥରରେ ନିର୍ମାଣ ହୋଇଛି ମନ୍ଦିର । ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ଚତୁଃପାର୍ଶ୍ବ । ଶହ ଶହ ସାଧୁସନ୍ଥ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୧ ତାରିଖରୁ ୨୪ ତାରିଖ ୪ ଦିନ ଯାଏଁ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ୨୨ ତାରିଖ ଅର୍ଥାତ ଆଜି ପୁରୀ ଶଙ୍କରାଚାର୍ଯ୍ୟଙ୍କ କରକମଳରେ ଏହି ମନ୍ଦିର ଲୋକାର୍ପିତ ହେବ। ଗଜପତି ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ। ପ୍ରତିଷ୍ଠା ଉତ୍ସବରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଯୋଗ ଦେବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Comments are closed.