ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରୁ ବହୁ ପରିମାଣର କୋକେନ ଜବତ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ଏହାକୁ ଜବତ କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗୁରଫ କରାଯାଇଛି । ଉଭୟ ଅଭିଯୁକ୍ତ ଦିଲ୍ଲୀର ସୋନିପତ ଅଞ୍ଚଳର ବୋଲି ଜଣାପଡିଛି ।
ଖବର ମୁତାବକ, ଏନସିବି ଶୁକ୍ରବାର ୮୦ କେଜିରୁ ଅଧିକ ଓଜନର କୋକେନ ଜବତ କରିଛି । ଯାହାର ବଜାର ମୂଲ୍ୟ ୯୦୦ କୋଟି ଟଙ୍କା ହେବ । ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ଏନସିବିକୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି । ଏହା ସହ ଡ୍ରଗ ମୁକ୍ତ ଭାରତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ଆଗକୁ ମଧ୍ୟ ନିଶା କାରବାର ରାକେଟ ବିରୋଧରେ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ।
ଏନେଇ ଅମିତ ଶାହ ଟ୍ବିଟ୍ କରି କହିଛନ୍ତି ଯେ, ‘ଗୋଟିଏ ଦିନରେ ବେଆଇନ ଡ୍ରଗ୍ ବିରୋଧରେ ଲଗାତାର ଦୁଇଟି ପ୍ରମୁଖ ସଫଳତା ଡ୍ରଗ୍ ମୁକ୍ତ ଭାରତ ପାଇଁ ମୋଦି ସରକାରଙ୍କ ସଂକଳ୍ପକୁ ଦର୍ଶାଉଛି । ଆଜି ଦିଲ୍ଲୀରେ ଏନସିବି ୮୨.୫୩ କିଲୋଗ୍ରାମ ଉଚ୍ଚ ଗ୍ରେଡ୍ କୋକେନ୍ ଜବତ କରିଛି’ ।
ଦିଲ୍ଲୀରୁ କୋକେନ ଜବତ ହେବାର କିଛି ସମୟ ପୂର୍ବରୁ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ । ଏହି ଘଟଣାରେ ୮ ଜଣ ଇରାନ ନାଗରିକ ଗିରଫ ହୋଇଛନ୍ତି ।