Latest Odisha News

ଏନଡିଏର ସଂସଦୀୟ ବୈଠକ, ବଣ୍ଟାଯାଇପାରେ ମନ୍ତ୍ରୀ ପଦ

ନୁଆଦିଲ୍ଲୀ: ଆଜି ବସୁଛି ଏନଡିଏ ଦଳର ସଂସଦୀୟ ବୈଠକ । ମୋଦି ୩.୦ର କାଳ ଆରମ୍ଭ ହେବା ପୂର୍ବରୁ ବସୁଛି ଏନଡିଏ ଦଳର ବୈଠକ । ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେବା ସହ ବଣ୍ଟା ହୋଇପାରେ ମନ୍ତ୍ରୀ ପଦ । ସେପଟେ ମନ୍ତ୍ରୀ ପଦ ନେଇ ମେଣ୍ଟରେ ଛିଡୁନି ବାଣ୍ଟ । ବିଜେପି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ନିଜ ହସ୍ତରେ ରଖିବାକୁ ଚାହୁଁଥିବା ବେଳେ କିଛି ଦଳ ମଧ୍ୟ ନିଜର ଡିମାଣ୍ଡ ରଖିଛନ୍ତି । ତେବେ ପୂର୍ବରୁ ବିଜେପି ଏନଡିଏ ମେଣ୍ଟରେ ସଂଖ୍ୟା ଗରିଷ୍ଠତା ହାସଲ କରୁଥିଲା । ଯେଉଁ ଦଳକୁ ଯେଉଁ ବିଭାଗ ଦେଉଥିଲା ତାହା ପ୍ରଯୁଜ୍ୟ ଥିଲା । ହେଲେ ଏଥର ସବୁ ଓଲଟପାଲଟ ହୋଇଛି । ବିଜେପିକୁ ସରକାର ଗଠନ କରିବାକୁ ହେଲେ ଏନଡିଏର ମତ ସହ ତାଳ ମିଳାଇବାକୁ ପଡିବ । ଏହାରି ଭିତରେ ବିଜେପି ଚାହୁଁଛି ଯେ ଜୁନ ୯ରେ ଶପଥ ଗ୍ରହଣ ପୂର୍ବରୁ ସହଯୋଗୀମାନଙ୍କ ସହ ସବୁର ସ୍ପଷ୍ଟ ଚୂଡାନ୍ତ ହେଉ।

ସେପଟେ ଆଜିର ବୈଠକ ପାଇଁ ଓଡିଶାର ନବନିର୍ବାଚିତ ୨୦ ସାଂସଦ ଦିଲ୍ଲୀ ଯାଇ ବୈଠକରେ ଯୋଗ ଦେଇଛନ୍ତି । ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡାଙ୍କ ସମେତ ୧୮ ସାଂସଦ ଆଜି ଏନଡିଏ ବୈଠକରେ ଯୋଗ ଦେଇଛନ୍ତି । ଏହା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ମଧ୍ୟ ଆଲୋଚନା ହୋଇପାରେ ।

ସୂଚନାଯୋଗ୍ୟ, କେଉଁ ଦଳ କ’ଣ ଦାବି କରିଛି?

ଜେଡିୟୁର ଦାବି:
ସରକାର ଗଠନରେ ସାହାଯ୍ୟ କରିଥିବା ଜେଡିୟୁ ଦଳ କେବଳ ବିହାର ରାଜ୍ୟ ପାଇଁ ସ୍ବତନ୍ତ୍ର ମାନ୍ୟତା ଦାବି କରିବା ସହିତ ଏହା ସହିତ ୩ କ୍ୟାବିନେଟ ଏବଂ ୪ଟି ମନ୍ତ୍ରୀ ପଦ ମଧ୍ୟ ଦାବି କରିଛି।

ଟିଡିପିର ଦାବି:
ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୫ଟି ମନ୍ତ୍ରଣାଳୟ ସହିତ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ମାନ୍ୟତା ଦାବି କରୁଛି।

ଶିବସେନାଙ୍କ ଦାବି:
ଶିବସେନା ଦଳ ୩ କ୍ୟାବିନେଟ ଏବଂ ୨ ରାଜ୍ୟ ମନ୍ତ୍ରୀ ପଦ ଦାବି କରିଛନ୍ତି। ଏଥି ସହ ଚିରାଗ ପାଶୱାନଙ୍କ ଦଳ ଏଲଜେପି ୧ କ୍ୟାବିନେଟ ଏବଂ ୨ଟି ରାଜ୍ୟ ମନ୍ତ୍ରୀଙ୍କୁ ଦିଆଯିବାକୁ ଦାବି କରିଛି। ଜିତନ ରାମ ମାନଝୀଙ୍କ ପାଇଁ ରାଜ୍ୟ ମନ୍ତ୍ରୀ ଦାବି କରିଛନ୍ତି ଏବଂ ସେହିପରି ଅନୁପ୍ରିୟା ପଟେଲ ଜଣେ ରାଜ୍ୟ ମନ୍ତ୍ରୀ ଦାବି କରିଛନ୍ତି।

Comments are closed.