Latest Odisha News

BREAKING NEWS

ବିହାର ନିର୍ବାଚନ: ମଗଧ ପାଇଁ ମାଷ୍ଟରପ୍ଲାନ୍

ନୂଆଦିଲ୍ଲୀ: ବିହାର ରାଜନୀତିରେ ମଗଧର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । କୁହାଯାଏ, ମଗଧର ଜନତା ଯେଉଁ ଦଳକୁ ଆଶୀର୍ବାଦ ଦେଇଛନ୍ତି, ସେଇ ଦଳ ବିହାରରେ କ୍ଷମତାରେ ବସିଛି । ଆଉ ସେଥିପାଇଁ ଏବେଠୁ ମଗଧ ବିଜୟ ପାଇଁ ମାଷ୍ଟରପ୍ଲାନ୍ ବନାଉଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଆରଜେଡିର ଗଡ଼ ରହିଥିବା ଏହି ଅଞ୍ଚଳ ସୁଶାସନ ବାବୁ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏର ଗଡ଼ ପାଲଟିଥିଲା । ତେବେ ଗତ ନିର୍ବାଚନରେ ମଗଧ କିଲ୍ଲା ବଞ୍ଚାଇବାରେ ସଫଳ ହୋଇଥିଲା ଲାଲୁଙ୍କ ଆରଜେଡି । ଏହି ଅଞ୍ଚଳର ରାଜନୀତି ଉପରେ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବି ପ୍ରଭାବ ରହିଛି ।

ମଗଧ ପାଇଁ ମାଷ୍ଟରପ୍ଲାନ୍

ମଗଧ ଡିଭିଜନ ଅଧୀନରେ ରହିଛି ଗୟା, ଅରଓ୍ବଲ, ଜହାନାବାଦ, ଔରଙ୍ଗାବାଦ ଓ ନବାଦା ଜିଲ୍ଲା । ଏହାସହ ନାଳନ୍ଦା, ପଟନା, ଶେଖପୁରା, ଲଖିସରାୟ ଓ ଜାମୁୟି ମଧ୍ୟ ଏହି ଅଞ୍ଚଳରେ ଆସୁଛି । ଏପରିକି ବାଙ୍କା ଜିଲ୍ଲାର କିଛି ଅଂଶ ମଧ୍ୟ ମଗଧ ଅଞ୍ଚଳରେ ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ନାଳନ୍ଦା ଅଞ୍ଚଳର । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ଆସୁଥିବା ଗୟା ଜିଲ୍ଲା ମଧ୍ୟ ଏହି ଅଞ୍ଚଳରେ ରହିଛି। ମଗଧ ଡିଭିଜନରେ ଥିବା ୫ଜିଲ୍ଲାରେ ହିଁ କେବଳ ୨୬ଟି ବିଧାନସଭା ସିଟ୍ ରହିଛି । ତେଣୁ ବିହାର କ୍ଷମତା ରାଜନୀତିରେ ଏହି ଅଞ୍ଚଳର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ।

ଆରଜେଡିର କିଲ୍ଲା ଦଖଲ କରିଥିଲା ଏନଡିଏ

ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ବାଧୀନ ଆରଜେଡିର ଗଡ଼ ରହିଥିଲା ମଗଧ । ତେବେ ଆରଜେଡି କ୍ଷମତାଚ୍ୟୁତ ହେବା ସହ ଏହି ଅଞ୍ଚଳରେ ନିଜ ସଂଗଠନ ମଜବୁତ କରିଥିଲା ଏନଡିଏ । ୨୦୧୦ ବିଧାନସଭା ନିର୍ବାଚନ ବେଳେ ବିଜେପି ଲହର କମାଲ୍ କରିଥିଲା । ଆରଜେଡି ମାତ୍ର ଗୋଟିଏ ସିଟ ଜିତିବାକୁ ସକ୍ଷମ ହୋଇଥିଲା । ବେଲାଗଞ୍ଜରୁ ସୁରେନ୍ଦ୍ର ପ୍ରସାଦ ଯାଦବ ଏକମାତ୍ର ଆରଜେଡି ବିଧାୟକ ଭାବେ ମଗଧ ଡିଭିଜନରୁ ଜିତିଥିଲେ। ଗୋଟିଏ ସିଟରେ ସ୍ବାଧୀନ ପ୍ରାର୍ଥୀ ଜିତିଥିବା ବେଳେ ବାକି ୨୪ଟି ସିଟ ପୋଛି ନେଇଥିଲା ଏନଡିଏ ।

ମେଣ୍ଟ ଗଣିତ ସହ ବଦଳିଛି ଭାଗ୍ୟ

୨୦୧୫ ବିଧାନସଭା ନିର୍ବାଚନ ବେଳେ ବିହାରରେ ମେଣ୍ଟ ଗଣିତ ବଦଳି ଯାଇଥିଲା । ନୀତିଶ କୁମାରଙ୍କ ଜେଡିୟୁ ଓ ଆରଜେଡି ଏକାଠି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ମଗଧ ଡିଭିଜିନର ମୋଟ୍ ୨୬ସିଟ ମଧ୍ୟରୁ ୧୦ଟିରେ ଆରଜେଡି, ୬ଟିରେ ଜେଡିୟୁ ଓ ୪ଟିରେ କଂଗ୍ରେସ ବିଜୟୀ ହୋଇଥିଲା । ବିଜେପି ୫ଟିରେ ଓ ଜିତନ ରାମ ମାଞ୍ଝୀଙ୍କ ଦଳ ଗୋଟିଏ ସିଟ୍ ଜିତିଥିଲା । ୨୦୨୦ରେ ପୁଣି ମେଣ୍ଟ ସମୀକରଣ ବଦଳିଥିଲା । ନୀତିଶ କୁମାର ପୁଣି ଏନଡିଏ ସହ ମିଶି ମଗଧ ଅଙ୍କ ବଦଳାଇଥିଲେ । ତେବେ ଏଥର ମଗଧ କିଲ୍ଲା ରକ୍ଷା କରିବାରେ ସଫଳ ହୋଇଥିଲା ଆରଜେଡି । ଔରଙ୍ଗାବାଦ, ଜହାନାବାଦ, ଅରଓ୍ବଲରେ ଖାତା ଖୋଲି ପାରିନଥିଲା ଏନଡିଏ । ମଗଧ ଡିଭିଜନରେ ୨୬ରୁ ୨୦ଟି ସିଟ୍ ଜିତିଥିଲା ମହାଗଠବନ୍ଧନ ଓ ୬ଟି ଏନଡିଏ ଖାତାକୁ ଯାଇଥିଲା ।

ମଗଧ ରାଜନୀତି ଉପରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବି ପ୍ରଭାବ ରହିଛି । ଝାଡ଼ଖଣ୍ଡରେ ହଜାରିବାଗ, ପଲାମୁ, ଚତରା, ଜାମତଡା, ବୋକାରୋ ପରି ଜିଲ୍ଲା ତ ପଶ୍ଚିମବଙ୍ଗର ମାଲଦାରେ ବହୁ ସଂଖ୍ୟାରେ ମଗଧି ଭାଷାଭାଷୀ ରହିଛନ୍ତି । ଉଭୟ ରାଜ୍ୟ ସହ ମଗଧ ଅଞ୍ଚଳର ଭାଷାଗତ, ସାଂସ୍କୃତିକ ଓ ଆର୍ଥିକ ସଂପର୍କ ରହିଛି । ତେଣୁ ଏହି ଦୁଇ ରାଜ୍ୟର ରାଜନୈତିକ ଘଟଣାକ୍ରମର ସିଧା ପ୍ରଭାବ ଏଠାକାର ରାଜନୀତି ଉପରେ ପଡେ । ଆଗକୁ ବିହାର ନିର୍ବାଚନ ଥିବା ବେଳେ ମଗଧ ବିଜୟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଉଭୟ ଶାସକ ଓ ବିରୋଧୀ ।

Comments are closed.