ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଚାର ଖେଳାଳି ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ରୁ ଚଳିତ ସିଜିନ୍ ଆରମ୍ଭ କରିବେ। ଆଗାମୀ ମେ ୧୬ ତାରିଖରେ କାତାରର ରାଜଧାନୀରେ ଦୋହା ଡାଇମଣ୍ଡ ଲିଗ ଆରମ୍ଭ ହେବ । ଟୋକିଓ ଅଲମ୍ପିକରେ ଗୋଲ୍ଡ ଓ ପ୍ୟାରିସ ଅଲିମ୍ପିକରେ ସିଲଭର ପଦକ ବିଜେତା ନୀରଜ ୩ୟ ଥର ପାଇଁ ଦୋହା ଡାଇମଣ୍ଡ ଲିଗ୍ ରେ ଅଂଶଗ୍ରହଣ କରିବେ ।
୨୦୨୩ରେ ଏହି ଟୁର୍ଣ୍ଣାମେଣ୍ଟରେ ନୀରଜ ୮୮.୬୭ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ କହିଛନ୍ତି ଯେ, ଏଠାରେ ଅଂଶଗ୍ରହଣ କରିବା ଅର୍ଥ ଘରୋଇ ପରିବେଶରେ ଭାଗନେବା । ଦୋହାର ଦର୍ଶକ ଖୁବ୍ ଉତ୍ସାହୀ । କାତାରରେ ଭାରତୀୟ ପ୍ରଶଂସକମାନଙ୍କଠାରୁ ଅଧିକ ସମର୍ଥନର ଆଶା କରୁଛି। ସେମାନଙ୍କ ଉପସ୍ଥିତି ଆମକୁ ଅଧିକ ଶକ୍ତି ପ୍ରଦାନ କରିଥାଏ ।
୨୭ବର୍ଷୀୟ ନୀରଜ ଚଳିତବର୍ଷ ନୂଆ ପ୍ରଶିକ୍ଷକଙ୍କ ଅଧିନରେ କଠିନ ଅଭ୍ୟାସ କରୁଛନ୍ତି । ଚେକ୍ ଗଣରାଜ୍ୟର ଜାନ ଜେଲେଞ୍ଜିଙ୍କ ଠାରୁ ସେ ପ୍ରଶିକ୍ଷଣ ନେଉଛନ୍ତି । ଏକାଧିକ ଅଲିମ୍ପିକ୍ ଓ ବିଶ୍ବ ଟାଇଟଲ ଜିତିଥିବା ଜାନ୍ ଜେଲେଞ୍ଜିଙ୍କ ନାଁରେ ଜାଭେଲିନ ବିଶ୍ବ ରେକର୍ଡ ୯୮.୪୮ମିଟର ରହିଛି ।
ଗୋଲ୍ଡେନ ବୟ ନୀରଜ ଅଲିମ୍ପିକ୍ ରେ ସ୍ୱର୍ଣ୍ଣ ଏବଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ଅଟନ୍ତି । ଏଥିସହ ଡାଇମଣ୍ଡ ଲିଗ୍ ମିଟିଙ୍ଗ ଏବଂ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହେଲେ ନୀରଜ ।
ଦୋହା ପରେ ନୀରଜ ୨୪ ମେ’ରେ ହରିୟାଣାରେ କ୍ଲାସିକ୍ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
Comments are closed.