ନାଗୋୟା: ୨୦ତମ ଏସିଆନ୍ ଗେମ୍ସର ସମାପନ ସମାରୋହରେ ଭାରତୀୟ ଦଳର ମହିଳା ପତାକା ବାହକ ଭାବେ ସେନାର ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ର ନାୟବ ସୁବେଦାର ନୀରୁ ଢାଣ୍ଡା ଭାରତୀୟ ଦଳର ନେତୃତ୍ୱ ନେବେ । ଅକ୍ଟୋବର ୪ (ରବିବାର) ଦିନ ଜାପାନର ନାଗୋୟାସ୍ଥିତ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମ୍ରେ ଏହି ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଭାରତୀୟ ଦଳର ଡେପୁଟି ଶେଫ୍ ଡି ମିସନ୍ ଅଞ୍ଜଳି ଭାଗବତ ଏହି ସୂଚନା ଦେଇଛନ୍ତି । ପୁରୁଷ ପତାକା ବାହକଙ୍କ ନାମ ଶନିବାର ଘୋଷଣା କରାଯିବ । ନାଗୋୟା ଏସିଆନ୍ ଗେମ୍ସରେ ସେ ୨ଟି ସ୍ୱର୍ଣ୍ଣ ଏବଂ ୧ଟି ରୌପ୍ୟ ପଦକ ଜିତି ଭାରତର ସବୁଠାରୁ ସଫଳ ଆଥଲେଟ୍ମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ମହିଳା ଟ୍ରାପ୍ ଇଣ୍ଡିଭିଜୁଆଲ, ଟ୍ରାପ୍ ମିକ୍ସଡ୍ ଟିମରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଟ୍ରାପ ଟିମ ଇଭେଂଟରେ ରୌପ୍ୟ ପଦକ ଜିତିଥିଲେ ।
ଇଭେଣ୍ଟ ଶେଷ ହେବା ପରେ ଜାପାନର ଅସ୍ତ୍ରଶସ୍ତ୍ର ନିୟମ ଅନୁସାରେ ଖେଳାଳିମାନେ ସେମାନଙ୍କ ବନ୍ଧୁକ ସାଙ୍ଗରେ ରଖିପାରିବେ ନାହିଁ । ତେଣୁ ନୀରୁ ନିଜ ଗାଁ (ହରିୟାଣାର ସଙ୍ଗତପୁରା, ଜିନ୍ଦ)କୁ ଫେରିଆସିଥିଲେ । କିନ୍ତୁ ପତାକାବାହକ ଭାବେ ମନୋନୀତ ହେବା ଖବର ପାଇବା ପରେ ସେ ପୁଣି ଜାପାନର ନାଗୋୟା ଅଭିମୁଖେ ଗସ୍ତ କରୁଛନ୍ତି । ୨୬ ବର୍ଷୀୟା ନୀରୁ ୨୦୧୯ରୁ ସୁଟିଂ ଆରମ୍ଭ କରିଥିଲେ । ସେ ଭାରତୀୟ ସେନାର କୋର୍ପସ ଅଫ୍ ମିଲିଟାରୀ ପୋଲିସରେ ନାୟବ ସୁବେଦାର ଭାବେ କାର୍ୟ୍ୟରତ ଏବଂ ମହୋସ୍ଥିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ରେ ପ୍ରଶିକ୍ଷଣ ନେଉଛନ୍ତି । ୨୦୨୬ ଜୁଲାଇରେ ସେ ଇଟାଲୀରେ ଅନୁଷ୍ଠିତ ଶଟଗନ୍ ୱାର୍ଲ୍ଡ କପ୍ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

