Latest Odisha News

BREAKING NEWS

ନିଟ୍ ଓ ନେଟ୍ ବିବାଦ; ଆଜି ବସିବ ପ୍ୟାନେଲ୍ ବୈଠକ

ନୂଆଦିଲ୍ଲୀ: ନିଟ୍ ଓ ଯୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଭ୍ରଷ୍ଟାଚାରକୁ ନେଇ ଦେଶରେ ଜାରି ରହିଛି ବିରୋଧ । ଏହାରି ଭିତରେ ନିଟ୍ ଓ ନେଟ୍ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ ପ୍ୟାନେଲର ଆଜି ବୈଠକ ବସିବାକୁ ଯାଉଛି । ଉଚ୍ଚସ୍ତରୀୟ ୭ ଜଣିଆ ପ୍ୟାନେଲଙ୍କ ଦ୍ବାରା ନିଟ୍ ଓ ନେଟରେ ହୋଇଥିବା ଅନିୟମିତତାକୁ ନେଇ ଆଜି ପ୍ରଥମ ବୈଠକ ବସିବାକୁ ଯାଉଛି । ପୂର୍ବାହ୍ନ ୧୨ଟାରେ ନିଟ୍ ପ୍ୟାନେଲର ବୈଠକ ବସିବାକୁ ଥିବା ବେଳେ ନିଟ୍ ଓ ନେଟ୍ ପରୀକ୍ଷାକୁ ନେଇ ସମସ୍ତ ଆଲୋଚନା ହେବାକୁ ଯାଉଛି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ନିଟ୍‌ ଓ ନେଟ୍ ର ପରିଚାଳନା ନେଇ ଆଲୋଚନା ହୋଇପାରେ । ଏନେଇ ସୂଚନା ଦେଇଛି ଶିକ୍ଷା ମନ୍ତ୍ରଣାଳୟ ।

ସୂଚନାଯୋଗ୍ୟ, ମେ’ ୫ ତାରିଖରେ ନିଟ୍ ୟୁଜି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ତେବେ ଏହି ପରୀକ୍ଷାରେ ପେପର୍‌ ଲିକ୍ ହୋଇଥିବା ମାମଲା ସାମ୍ନାକୁ ଆସିବା ପରେ ଏହା ଏବେ  ସୁପ୍ରିମକୋର୍ଟରେ ଚାଲୁଅଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଉକ୍ତ ପରୀକ୍ଷାରେ ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରି ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲା। ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ମଧ୍ୟ ଦେିଥିଲା । ପରୀକ୍ଷାର୍ଥୀ ଚାହିଁଲେ ଜୁନ୍ ୨୩ରେ ପୁଣି ପରୀକ୍ଷା ଦେଇପାରିବେ, କିମ୍ବା ବିନା ଗ୍ରେସ୍ ମାର୍କରେ ପୁରୁଣା ସ୍କୋରକାର୍ଡ ସହ କାଉନସେଲିଂରେ ସାମିଲ ହୋଇପାରିବେ ବୋଲି ପ୍ରସ୍ତାବ ରଖିଥିଲା । ତେବେ ଗତ ଥରର ପରୀକ୍ଷାରେ ମିଳିଥିବା ଗ୍ରେସ୍‌ ମାର୍କକୁ ରଦ୍ଦ କରାଯିବା ପରେ ପୁନର୍ବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ରବିବାର ଆୟୋଜିତ ହୋଇଯାଇଛି ।

ଅନ୍ୟପକ୍ଷରେ ଜୁନ୍ ୧୮ରେ ଆୟୋଜିତ ହୋଇଥିଲା ୟୁଜିସି ନିଟ୍ ପରୀକ୍ଷା । ଏହାର ଗୋଟେ ଦିନ ପରେ ଉକ୍ତ ପରୀକ୍ଷାରେ ମଧ୍ୟ ଅନିୟମିତତା ହୋଇଥିବା ଜଣାଇ ୟୁଜିସି ପରୀକ୍ଷାକୁ ରଦ୍ଦ କରିଥିଲା ଶିକ୍ଷା ମନ୍ତ୍ରଣାଳୟ । ଏହା ପରେ ୟୁଜିସି ପରୀକ୍ଷା ପୁଣି ଥରେ ଆୟୋଜିତ ହେବ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା ।

ତେବେ ଏହି ପ୍ରସଙ୍ଗକୁ ନେଇ ଆଜି ପ୍ରଥମ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ପୁନଃ ପରୀକ୍ଷା ଓ ପରୀକ୍ଷା ପରିଚାଳନାକୁ ନେଇ ବିଭିନ୍ନ ଆଲୋଚନା ହୋଇପାରେ ।

Leave A Reply

Your email address will not be published.