Latest Odisha News

ଅନ୍ଧାରିମୁଲକରେ ସୌରଶକ୍ତିର ଭଗୀରଥ : ଚୈତରାମ୍ ପାୱାର୍

ମହାରାଷ୍ଟ୍ରର ଧୂଲେ ଜିଲ୍ଲା, ସଦର ମହକୁମାଠାରୁ ଶହେ କିଲୋମିଟର ଦୂର ଗଲେ ପଡେ ସାକ୍ରୀ ବ୍ଲକର ବାରିପଦା ଗାଆଁ । ତିନିଶହ ହେକ୍ଟର ବ୍ୟାପୀ ବଣ ଜଙ୍ଗଲ ଘେରା ଏଇ ବାରିପଦା ଗାଆଁରେ ବସବାସ କରନ୍ତି ପ୍ରାୟ ଏକ ହଜାରଟି ଜନଜାତି ପରିବାର । ଜଙ୍ଗଲରେ ଭର୍ତ୍ତି ହୋଇଛି ଶାଗୁନ,ଦେବଖୁମ୍ବ, ପଳାଶ,ଆଇନ,ନିମ୍ବ, ଅର୍ଜୁନ ଭଳି ମୂଲ୍ୟବାନ ଗଛ , ତା ସହିତ ଅଛନ୍ତି କଲରାପତ୍ରିଆ, ଚିତାବାଘ, ଗୋଧି, କୋକିଶିଆଳି, ଶିଆଳ ଭଳି ଅନେକ ବଣ୍ୟଜନ୍ତୁ।

ଆଜି ସେଇ ଗାଆଁରେ ପହଞ୍ଚିଲେ ଆପଣଙ୍କୁ ମନେ ହେବ ସତେ ଯେମିତି ଇଏ ଆଉ ଗୋଟିଏ କେଉଁ ସହର । ଆଖପାଖ ଅଞ୍ଚଳରେ ଦେଖିଥିବା ସମସ୍ତ ଗାଆଁ ମାନଙ୍କଠାରୁ ଭିନ୍ନ । ଖୁବ୍ ଉନ୍ନତ, ସୁନ୍ଦର ରୁଚିସମ୍ପନ୍ନ ଗହଳିଆ ସବୁଜ ଧାନକ୍ଷେତ , ସବୁଜ ବନାନୀ ବ୍ୟତୀତ ଯାହା ସବୁଠାରୁ ବେଶୀ ଦୃଷ୍ଟି ଆକର୍ଷଣ କରିବ ସିଏ ହେଲା ଏଇ ଗାଆଁ ର ସୌରଶକ୍ତି କ୍ଷମତା । ପାଣି ପମ୍ପଠାରୁ ଆରମ୍ଭ କରି ବିଜୁଳିବତୀ ଯାଏଁ ସବୁଠି ସୌରଶକ୍ତିର ନୀରବଚ୍ଛିନ୍ନ ପ୍ରୟୋଗ। ମହାରାଷ୍ଟ୍ରର ସଦର ମହକୁମାଠାରୁ ଅନେକ ଦୂରରେ ଏଇ ଜନଜାତି ବସତି ବହୁଳ ଜନପଦରେ ଏଇ ଗାଆଁଟି କେବଳ ଅନନ୍ୟ ନୁହେଁ, ଏକ ବୈପ୍ଳବିକ ପରିବର୍ତ୍ତନର ବାର୍ତ୍ତାବହ ।

ଦିନେ ଏଇ ଗାଆଁଟି ଥିଲା ଭାରତର ଅନେକ ଅନ୍ୟ ସାଧାରଣ ଗାଆଁ ଭଳି ଅନୁନ୍ନତ । ସବୁବେଳେ ବିଜୁଳିର ଅଭାବ ଭୋଗିବାକୁ ପଡୁଥିଲା ଗ୍ରାମବାସୀମାନଙ୍କୁ। ଦିନରେ ପ୍ରାୟ ବାରଘଣ୍ଟା ବିଜୁଳି କାଟ ଭୋଗୁଥିବା ଗାଆଁରେ ଭଲ ରକମର ଚାଷବାସ ଅବା ହେବ କେମିତି ? ଏଣୁ ଦୁଃଖରେ ସଢୁଥାଆନ୍ତି ଗ୍ରାମବାସୀମାନେ । ସେଇମାନଙ୍କ ମଧ୍ୟରୁ ଜଣେ ହେଲେ ଚୈତରାମ୍ । ସିଏ ସମସ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ଦେଖି ନିଜେ ଅଣ୍ଟା ଭିଡିଲେ ନିଜ ଗାଆଁକୁ ଏ ଭୋକ ଉପାସରୁ ଉଦ୍ଧାର କରିବା ପାଇଁ। ପନ୍ଦର ବର୍ଷର ହେବା ବେଳୁ ସମାଜସେବାରେ ରୁଚି ରଖୁଥିଲେ ଚୈତରାମ୍ । ସ୍ଥାନୀୟ ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେଉଥିଲେ। ବାଇଶି ବର୍ଷର ହେବା ବେଳକୁ ସେ “ ବନବାସୀ କଲ୍ୟାଣ ଆଶ୍ରମ “ ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢି ସେଥିରେ ଗାଆଁର ଯୁବକମାନଙ୍କୁ ନେଇ ପ୍ରଥମେ ବର୍ଷାଜଳ ସଞ୍ଚୟ, ସାମାଜିକ ବନୀକରଣ, ଉନ୍ନତ କୃଷିକର୍ମ ଭଳି କିଛି ଜନହିତକର କାର୍ଯ୍ୟ ଆରମ୍ଭ କଲେ। ସେଥିପାଇଁ ତାଙ୍କୁ ବ୍ଲକ୍ ଅଫିସରୁ ମଧ୍ୟ ଖୁବ୍ ସହାୟତା ମିଳିଲା। ଲୋକମାନେ ଉପକୃତ ହେବାରୁ ଜନ ସଚେତନତା ମଧ୍ୟ ବଢିଲା।

 

ଧୀରେ ଧୀରେ ବ୍ଲକରୁ ଅଧିକାରୀମାନେ ଆସି ଗ୍ରାମବାସୀଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ସହିତ, ଉନ୍ନତ ବିହନ ଏବଂ ସାରର ବ୍ୟବହାର , ତିରୋଟ ସମୟରେ ଶସ୍ୟ ସଂରକ୍ଷଣ, ଜୈବିକ ଖତ ପ୍ରସ୍ତୁତି, ଇତ୍ୟାଦି ଇତ୍ୟାଦି ଅନେକ କୃଷିଭିତ୍ତିକ ଶିକ୍ଷା ଦେଲେ। ଚୈତରାମ୍ ସାଜିଲେ ଗ୍ରାମ ଏବଂ ସହରାଞ୍ଚଳ ଅଫିସ୍ ମଧ୍ୟରେ ସେତୁ । ସର୍ବତୋଭାବେ ଗ୍ରାମର ଉନ୍ନତି କରିବା ପାଇଁ ଲାଗି ରହିଲେ ସେ । କ୍ରମେ କ୍ରମେ ଗାଆଁର ଉନ୍ନତି ହେଲା , ଦୁଇ ହଜାର ଚଉଦ ମସିହାରେ ପ୍ରଥମେ ଗୋଟିଏ ସଭାରେ ସେ ସୌର ଚାଳିତ ପାଣି ପମ୍ପଟିଏ ଆଣି ଦେଖାଇଲେ ଗ୍ରାମବାସୀଙ୍କୁ । ତଦ୍ୱାରା କିପରି ବିଜୁଳି ନଥିଲେ ମଧ୍ୟ ଜଳସେଚନ କରି କୃଷି ଉତ୍ପାଦନରେ ବୃଦ୍ଧି କରାଯାଇ ପାରିବ ତାହା ମଧ୍ୟ ଲୋକମାନଙ୍କୁ ବୁଝାଇଦେଲେ । ସମସ୍ତଙ୍କର ଆଗ୍ରହ ବଢିଲା। ସମସ୍ତେ ସେଥିରୁ ଗୋଟିଏ ଗୋଟିଏ କିଣିବା ପାଇଁ ଆଗ୍ରହୀ ହେଲେ। ଦରଦାମ ପଚାରି ବୁଝିଥିଲେ କିନ୍ତୁ ଏତେ ପଇସା ଆସିବ କେଉଁଠୁ ? ସେଥିପାଇଁ ବ୍ଲକକୁ ବହୁତ ଦୌଡି ଦୌଡି ଜଣେ ଆଗ୍ରହୀ ଦାତାଙ୍କୁ ଯୋଗାଡ କରିଥିଲେ ଚୈତରାମ୍ । ସେମିତି ଦେଶବନ୍ଧୁ ମଞ୍ଜୁଗୁପ୍ତା ଫାଉଣ୍ଡେସନ୍ ତରଫରୁ ଦୁଇ କିଲୋୱାଟ୍ ପାୱାର୍ ବିଶିଷ୍ଟ ସୌରଚାଳିତ ପାଣି ପମ୍ପଟିଏ ମିଳିଲା ଗାଆଁକୁ। ତା’ର କାର୍ଯ୍ୟକାରିତା ଦେଖି ସମସ୍ତେ ଖୁସି ହେଲେ। ଚୈତରାମଙ୍କ ପ୍ରଚେଷ୍ଟାରେ ପରବର୍ତ୍ତୀ ପର୍ଯ୍ୟାୟରେ ମୀନାକ୍ଷୀ ମେହେତା ଫାଉଣ୍ଡେସନ୍ ତରଫରୁ ପୁଣି ବତିଶିଟି ସୌରଚାଳିତ ପାଣି ପମ୍ପ୍ ଆସିଲା ଗାଆଁକୁ।

ବାରିପଦା ଗାଆଁରେ ଚାଷୀ ମାନଙ୍କର ଉନ୍ନତି ହେଲା, ଚାଷବାସ ଅମଳ ବଢିଲା, ବେଶ୍ ଦି’ପଇସା ହାତକୁ ଆସିଲା। ଆଖପାଖର ଗାଆଁରେ ଖେଳିଗଲା ସଚେତନତାର ବାର୍ତ୍ତା । ସମସ୍ତେ ମିଳିମିଶି କାମ କରିବା ପାଇଁ ଆଗେଇ ଆସିଲେ। ସୌର ଚାଳିତ ପାଣି ପମ୍ପର ଶକ୍ତି ବୃଦ୍ଧି କରି ପାଞ୍ଚ କିଲୋୱାଟର ପାଣି ପମ୍ପ୍ ଅଣାଗଲା। ଏମିତି ପ୍ରସରିଗଲା କୃଷିର ଉନ୍ନତି ଗାଆଁରୁ ଗାଆଁକୁ , ତା’ ସହିତ ଚୈତରାମଙ୍କର ସୁନାମ ବ୍ୟାପିବାରେ ଲାଗିଲା। ଏଇ ପ୍ରକ୍ରିୟାରେ ବିତିଗଲା କେତେ ବର୍ଷ ସମୟ।

ପାଣି ସମସ୍ୟାର ସିନା ସମାଧାନ ହେଲା ହେଲେ ଆହୁରି ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେମାନେ । ଦିନରେ ସିନା କଷ୍ଟେ ମଷ୍ଟେ ଚଳି ଯାଉଥିଲେ , ହେଲେ ସନ୍ଧ୍ୟା ପରେ ଘରେ ଅଧିକାଂଶ ସମୟ ଲାଇଟ୍ ଜଳୁ ନଥିଲା। ଯାହାବି ଘଣ୍ଟାଏ ଦିଘଣ୍ଟା ଜଳୁଥିବା ଲୋ ଭୋଲ୍ଟେଜ୍ ଯୋଗୁଁ ବିଶେଷ କିଛି ଭଲଭାବରେ ଦିଶୁନଥିଲା। ପିଲାମାନେ ଲଣ୍ଠନ ଲଗାଇ ପଢିବା ପାଇଁ କିରୋସିନି ର ଅଭାବ ରହୁଥିଲା। ସ୍ତ୍ରୀ ଲୋକମାନେ ଘରେ ରୋଷେଇବାସ କଲା ବେଳକୁ ଧୂଆଁ ପଶି ଘର ଅନ୍ଧାର ଦିଶୁଥିଲା, କାଶ କଫ ରୋଗରେ ଆକ୍ରାନ୍ତ ହେଉଥିଲେ ଅନେକ, ବାହାରୁ ସାପ କି ବିଛା ଘର ଭିତରକୁ ପଶିଆସିଲେ ଜାଣି ହେଉ ନଥିଲା,ଏମିତି ଅନେକ କଷ୍ଟ ଭୋଗିବାକୁ ପଡୁଥିଲା ସେମାନଙ୍କୁ। ଏହାର ସମାଧାନ ପାଇଁ ଏକ ମାତ୍ର ବାଟ ଥିଲା ଗାଆଁ କୁ ଯଥେଷ୍ଟ ମାତ୍ରାରେ ବିଦ୍ୟୁତ୍ ଯୋଗାଣ ।

ଏବେ ଚୈତରାମ୍ ଭାବିଲେ ଗାଆଁକୁ ସୌର ବିଦ୍ୟୁତ୍ ଆଣିଲେ ଆଉ ବିଜୁଳି ସଙ୍କଟ ରହନ୍ତା ନାହିଁ । ସେଇ ପ୍ରଚେଷ୍ଟାରେ ଲାଗିପଡିଲେ ସେ। ସଦର ମହକୁମାକୁ ଯାଇ ସେ ସରକାରଙ୍କ ଜନଜାତି କଲ୍ୟାଣ ବିଭାଗରେ ଯୋଗାଯୋଗ କଲେ । ସେଠାରୁ ଜାଣିଲେ ଯେ ଗାଆଁକୁ ସୌରଶକ୍ତି ଯୋଗାଇ ଦେବା ପାଇଁ ସରକାରଙ୍କର ବିଶେଷ ଯୋଜନାଟିଏ ଅଛି କିନ୍ତୁ ଏହାର ସମୁଦାୟ ଖର୍ଚ୍ଚର ଶତକଡା ପନ୍ଦର ଅଂଶ ଗ୍ରାମବାସୀମାନଙ୍କୁ ଭରିବାକୁ ପଡିବ। ହିସାବ କିତାବ କରି ଦେଖିଲେ ତାହା ପାଞ୍ଚ ସାତ ଲକ୍ଷ ଟଙ୍କାରୁ ଊଣା ହେବ ନାହିଁ । ଚୈତରାମଙ୍କ ବୁଦ୍ଧିବଣା ହୋଇଗଲା । ଏତେ ଗୁଡାଏ ଟଙ୍କା ? କୋଉଠୁ ଆସିବ ? ତା’ଛଡା ସମସ୍ତଙ୍କୁ ସେଇ ବିଷୟ ବୁଝେଇ ଶୁଣେଇ କାମ କରିବା ସହଜ ନଥିଲା , ତଥାପି ଧୈର୍ଯ୍ୟ ଧରି ସେ ସମସ୍ତଙ୍କୁ ଏକତ୍ରିତ କରି ସୌରଶକ୍ତି ଉତ୍ପାଦନ ଏବଂ ଏହାର ବ୍ୟବହାର ବିଷୟରେ ବୁଝାଇଲେ। ଧୀରେ ଧୀରେ କିଛି କିଛି ଲୋକ ବୁଝିଲେ ସେକଥା। ସେମାନେ ଏକଜୁଟ୍ ହେଲେ, ଅନ୍ୟମାନଙ୍କୁ ବୁଝାଇଲେ । ଏମିତି ରେ ବିତିଗଲା ଆହୁରି କିଛି ସମୟ ।

ଶେଷରେ ଦୁଇ ହଜାର ଅଠର ମସିହାରେ ମହାରାଷ୍ଟ୍ର ସରକାରଙ୍କର ଜନଜାତି କଲ୍ୟାଣ ବିଭାଗର ମୁଖ୍ୟ ସେକ୍ରେଟାରୀ ଶ୍ରୀ ରାଜାରାମଙ୍କର ଅଧ୍ୟକ୍ଷତାରେ କମିଟିଟିଏ ଗଠନ କରାଗଲା ଖାସ୍ ଏଇ ବିଷୟର ପୁଙ୍ଖାନୁପୁଙ୍ଖ ପର୍ଯ୍ୟବେକ୍ଷଣ କରି ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ । ସେତେବେଳକୁ ଚୈତରାମଙ୍କର ସମାଜସେବା ସୁନାମ ରାଜାରାମଙ୍କ କାନରେ ପଡି ସାରିଥାଏ ଏବଂ ସେ ହୃଦୟର ସହିତ ତାଙ୍କର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥାଆନ୍ତି। ଈଶ୍ଵରଙ୍କ କରୁଣାରୁ ସବୁ ସମସ୍ୟାର ସମାଧାନ ହୋଇ ଦୁଇ ହଜାର ଅଠର ମସିହାର ଶେଷ ଭାଗରେ ପ୍ରଥମ ପର୍ଯ୍ୟାୟରେ ବାରିପଦା ଗାଆଁ ର ଚଉରାନବେଟି ଘରେ ସୌରଶକ୍ତିର ଆଲୋକ ଝଲମଲ କଲା। ଏଥିରେ ସରକାର ଙ୍କ ତରଫରୁ ଚଉରାନବେ ଲକ୍ଷ ବୟାଅଶୀ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଦେବାକୁ ପଡିଥିଲା ତିନିଲକ୍ଷ ପଚିଶି ହଜାର ଟଙ୍କା। ଆନନ୍ଦର ଲହରୀ ଖେଳି ଯାଇଥିଲା ସମଗ୍ର ଗ୍ରାମରେ ।

ପରବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଚଉରାଅଶୀଟି ଘର ସୌରଶକ୍ତିରେ ଆଲୋକିତ ହେଲା। ବାରିପଦା ଗାଆଁ ଝଲସିବାକୁ ଲାଗିଲା ସହର ଭଳି। ଗ୍ରାମବାସୀଙ୍କ ଆନନ୍ଦ କହିଲେ ନସରେ। ସେମାନଙ୍କ ଦେଖାଦେଉଛି ଆଖପାଖରେ ଗାଆଁର ଯୁବକମାନେ ସବୁ ଧାଡି ବାନ୍ଧିଲେ ସୌରଶକ୍ତିରେ ନିଜ ନିଜର ଘରକୁ ଆଲୋକିତ କରିବା ପାଇଁ । ସେମାନେ ସମସ୍ତେ ଚୈତରାମଙ୍କୁ ଅନୁସରଣ କରି ତାଙ୍କରି ପ୍ରଚେଷ୍ଟାରେ ପରବର୍ତ୍ତୀ ସମୟରେ ସୌରଶକ୍ତି ନେଲେ ନିଜ ନିଜର ଘରକୁ ।ଚୈତରାମଙ୍କର ଏହି ଜନସେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଦୁଇ କାନରୁ ଦୁଇଶହ କାନ ହୋଇ ଏହା ପହଞ୍ଚିଥିଲା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ କାନରେ। ଗୋଟିଏ ବଣ ଜଙ୍ଗଲଘେରା ଆଦିବାସୀ ଗାଆଁର ଯୁବକର ଇଚ୍ଛାଶକ୍ତି ,କର୍ତ୍ତବ୍ୟ ପରାୟଣତା ଏବଂ ଧୈର୍ଯ୍ୟ କେମିତି ସହସ୍ର ମଣିଷଙ୍କର ହିତ ସାଧନ କରିପାରେ ସେ ମର୍ମେ ମର୍ମେ ଅନୁଭବ କଲେ । ତାଙ୍କର ଏହି ଜନମଙ୍ଗଳକର କାର୍ଯ୍ୟକୁ ପ୍ରଶଂସା କରି ତାଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଦୁଇ ହଜାର ଅଠର ମସିହାରେ “ ନୂତନ ଭାରତ ର ଯୁବଶକ୍ତି ମହାସଭାରେ ମହା ସମାରୋହରେ ରେ “ ଯୁବ ଜ୍ୟୋତି ( ରୁରାଲ୍ ଆଚିଭର୍)” ଭାବରେ ପୁରସ୍କୃତ କଲେ। ସେହିଦିନଠାରୁ ସେ ପରିଚିତ ହେଲେ “ ଚୈତରାମ୍ ପାୱାର” ନାମରେ। ସେଇ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ତାଙ୍କ କାର୍ଯ୍ୟର ପ୍ରଂଶସା କଲାବେଳେ ବିନମ୍ରତାର ସହିତ ଚୈତରାମ୍ କହିଥିଲେ “ ଏହା କେବଳ ଏକା ମୋର ନୁହେଁ, ଆମ ସମସ୍ତଙ୍କର ଐକବଦ୍ଧ ପ୍ରଚେଷ୍ଟାରେ ସମ୍ଭବ ହୋଇ ପାରିଛି । ଏ ଧ୍ୟେୟ ଏକା ମୋର ନୁହେଁ, ଆମ ସମସ୍ତଙ୍କର । ଆମେ ସମସ୍ତେ ଏକ ହୋଇ କାମକଲେ ସୁନାର ଭାରତଟିଏ ଗଢି ପାରିବା” । ଧନ୍ୟ , ଧନ୍ୟ ତୁମେ ଚୈତରାମ୍ । ଧନ୍ୟ ତୁମର ଅଧ୍ୟବସାୟ । ଧନ୍ୟ ତୁମର ଦେଶଭକ୍ତି।

Comments are closed.