Latest Odisha News

BREAKING NEWS

ନିଟ୍ ବିବାଦ: ସଂସଦର ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ଦୁର୍ନୀତି ପ୍ରସଙ୍ଗ ଉଠାଇବ ବୋଲି ବିରୋଧୀ କହିଛି। ନିଟ୍-ୟୁଜି ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ର ସଂଗଠନ ଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି।

ଶୁକ୍ରବାର ସଂସଦର ଉଭୟ ଗୃହରେ ନିଟ୍ ବିବାଦକୁ ନେଇ ମୁଲତବୀ ପ୍ରସ୍ତାବ ଆଣିବେ ବୋଲି ବିରୋଧୀ କହିଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ଦଳମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରୁଥିଲେ। ଏହାପରେ ବିରୋଧୀମାନେ ବୈଠକ କରିଛନ୍ତି। ଆସନ୍ତାକାଲି ନିଟ୍, ମୁଦ୍ରାସ୍ଫୀତି, ବେକାରୀ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଅପବ୍ୟବହାର ପ୍ରସଙ୍ଗ ଉଠାଇବେ।

ଆଜି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ବାଚସ୍ପତି ନିର୍ବାଚନ ସମେତ ସଂସଦରେ ସମସ୍ତ ପ୍ରସଙ୍ଗ ଉପରେ ବିତର୍କ ହେବ ବୋଲି ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଡିଏମକେ ସାଂସଦ ଟି ଶିବା କହିଛନ୍ତି ଯେ ଆମେ ଆସନ୍ତାକାଲି ନିଟ୍ ପ୍ରସଙ୍ଗରେ ସଂସଦରେ ନୋଟିସ୍ ଦେବୁ।

ସୂଚନାଯୋଗ୍ୟ, ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନ୍ୟପକ୍ଷରେ ନିଟ୍-ୟୁଜି ପେପର ଲିକ୍ ମାମଲାରେ ସିବିଆଇ ଗୁରୁବାର ପ୍ରଥମ ଗିରଫଦାରୀ କରିଛି। ବିହାରର ମନୀଷ ପ୍ରକାଶ ଓ ଆଶୁତୋଷ କୁମାର ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ନିଟ-ୟୁଜି ପେପର ଲିକ୍ ମାମଲାକୁ ଜୁନ୍ ୨୫ତାରିଖରେ ବିହାର ପୁଲିସର ଅର୍ଥନୈତିକ ଅପରାଧ ୟୁନିଟରୁ ମାମଲାକୁ ସିବିଆଇ ନିଜ ହାତକୁ ନେଇଛି।

Leave A Reply

Your email address will not be published.