ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET UG ପୁନଃପରୀକ୍ଷା ପୂର୍ବରୁ ଶନିବାର ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ ଆୟୋଜନ କରାଯାଉଛି। ପୂର୍ବ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି। ପ୍ରଶ୍ନପତ୍ର ପରିବହନ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଭାରତୀୟ ବାୟୁସେନାଙ୍କୁ ନିୟୋଜିତ କରିଛନ୍ତି। ମକ୍ ଡ୍ରିଲ୍ ସମୟରେ ଏହି ବ୍ୟବସ୍ଥାର ଅଭ୍ୟାସ ମଧ୍ୟ କରାଯିବ।
ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ଭାରତୀୟ ବାୟୁସେନାର MI-17 ହେଲିକପ୍ଟର ମାଧ୍ୟମରେ ପ୍ରଶ୍ନପତ୍ରକୁ ଦେଶର ବିଭିନ୍ନ ରାଜ୍ୟ ରାଜଧାନୀରେ ଥିବା ୧୮ଟି ନୋଡାଲ୍ ସେଣ୍ଟରକୁ ପହଞ୍ଚାଯିବ। ପ୍ରଶ୍ନପତ୍ର ପହଞ୍ଚିବା ପରେ ସେଗୁଡ଼ିକର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳଙ୍କୁ ଦିଆଯିବ। ପ୍ରଶ୍ନପତ୍ର ସୁରକ୍ଷା ପାଇଁ CRPF ଓ CISF କର୍ମୀମାନେ ନୋଡାଲ୍ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ମୁତୟନ ରହିବେ। ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନେ ସୁରକ୍ଷା ଦାୟିତ୍ୱ ନିର୍ବାହ କରିବେ।
ରାଜଧାନୀ ଦିଲ୍ଲୀରେ ରି-ଟେଷ୍ଟ ପାଇଁ ୯୭ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଏଥିରେ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ସହିତ କିଛି ଦିଲ୍ଲୀ ସରକାରୀ ବିଦ୍ୟାଳୟ ମଧ୍ୟ ସାମିଲ ଅଛି।
ସେପଟେ ରବିବାର ପରୀକ୍ଷା ପୂର୍ବରୁ ମକ୍ ଡ୍ରିଲ୍ ଶନିବାର ଦ୍ବିପହର ପ୍ରାୟ ୧.୩୦ରୁ ଦେଶର ସମସ୍ତ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେବ। ଏହି ଅଭ୍ୟାସ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।
NEET ରି-ଟେଷ୍ଟ ସମ୍ବନ୍ଧୀୟ କୌଣସି ପ୍ରଶ୍ନପତ୍ର ଲିକ୍, ଗୁଜବ କିମ୍ବା ଭ୍ରାନ୍ତ ସୂଚନା ପ୍ରଚାର ଭଳି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଇଁ NTA ଏକ ସ୍ୱତନ୍ତ୍ର ପୋର୍ଟାଲ୍ ଆରମ୍ଭ କରିଛି। ପୋର୍ଟାଲରେ ମିଳୁଥିବା ସୂଚନାକୁ ଏଜେନ୍ସି ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବ।
ସେହିପରି, ଭ୍ରାନ୍ତ ସୂଚନା ଓ ଲିକ୍ ହୋଇଥିବା ସାମଗ୍ରୀ ପ୍ରସାରଣ ରୋକିବା ପାଇଁ କେନ୍ଦ୍ର ସରକାର ଟେଲିଗ୍ରାମ ଉପରେ ଜୁନ୍ ୨୨ ପର୍ଯ୍ୟନ୍ତ ଅସ୍ଥାୟୀ ରୋକ ଲଗାଇଛନ୍ତି ।
