Latest Odisha News

BREAKING NEWS

ନିଟ୍ ବିବାଦ, ଆଜି ପୁଣି ନିଟ୍ ୟୁଜି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦେଶରେ ନିଟ ପରୀକ୍ଷାକୁ ନେଇ ଜାରି ରହିଛି ଜୋରଦାର ଅସନ୍ତୋଷ। ଏହାରି ଭିତରେ ଆଜି ପୁଣି ହେବାକୁ ଯାଉଛି ନିଟ୍ ୟୁଜି ପରୀକ୍ଷା । ଗ୍ରେସ୍‌ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ କେବଳ ଏହି ପରୀକ୍ଷା ଦେବେ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ। ଯେଉଁମାନେ ଏହି ପରୀକ୍ଷାରେ ଗ୍ରେସ୍‌ ମାର୍କ ପାଇଥିଲେ କେବଳ ସେହି ପରୀକ୍ଷାର୍ଥୀମାନେ ହିଁ ନିଟ୍ ୟୁଜିର ପୁନଃ ପରୀକ୍ଷାରେ ବସିବେ। ଦେଶର ମୋଟ ୬ଟି ସହରରେ ପୁନଃ ପରୀକ୍ଷା ଅପରାହ୍ନ ୨ ଟାରୁ ୫ଟା ୨୦ ପର୍ଯ୍ୟନ୍ତ ଆୟୋଜିତ କରାଯିବ। ।

ସୂଚନାଯୋଗ୍ୟ, ମେ’ ୫ ତାରିଖରେ ନିଟ୍ ୟୁଜି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ତେବେ ଏହି ପରୀକ୍ଷାରେ ପେପର୍‌ ଲିକ୍ ହୋଇଥିବା ମାମଲା ସାମ୍ନାକୁ ଆସିବା ପରେ ଏହା ଏବେ  ସୁପ୍ରିମକୋର୍ଟରେ ଚାଲୁଅଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଉକ୍ତ ପରୀକ୍ଷାରେ ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରି ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲା। ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ମଧ୍ୟ ଦେିଥିଲା । ପରୀକ୍ଷାର୍ଥୀ ଚାହିଁଲେ ଜୁନ୍ ୨୩ରେ ପୁଣି ପରୀକ୍ଷା ଦେଇପାରିବେ, କିମ୍ବା ବିନା ଗ୍ରେସ୍ ମାର୍କରେ ପୁରୁଣା ସ୍କୋରକାର୍ଡ ସହ କାଉନସେଲିଂରେ ସାମିଲ ହୋଇପାରିବେ ବୋଲି ପ୍ରସ୍ତାବ ରଖିଥିଲା । ତେବେ ଗତ ଥରର ପରୀକ୍ଷାରେ ମିଳିଥିବା ଗ୍ରେସ୍‌ ମାର୍କକୁ ରଦ୍ଦ କରାଯିବା ପରେ ପୁନର୍ବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଆଜି ଆୟୋଜିତ କରାଯାଉଛି। ତେବେ ନିଟ୍‌-ୟୁଜି କାଉନସେଲିଂ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ତେବେ ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ପରୀକ୍ଷା ଫଳ ଜୁନ୍ ୧୪ତାରିଖରେ ପ୍ରକାଶ ପାଇବାର ଥିଲା । ତେବେ ଜୁନ୍ ୪ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ହେବା ଦିନ ହିଁ ନିଟ୍ ରେଜଲ୍ଟ ପ୍ରକାଶ ପାଇଥିଲା। ପରୀକ୍ଷାରେ ୬୭ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ଅର୍ଥାତ ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହେବା ଘଟଣା ସାମନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସହ ୧୫ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ ବିରୋଧରେ ବିକ୍ଷୋଭ କରିଥିଲେ ଛାତ୍ରଛାତ୍ରୀ । ତେବେ ଏହି ପେପର୍‌ ଲିକ୍‌ ମାମଲାରେ ଏଯାବତ ୧୦ରୁ ୧୫ ଜଣ ଗିରଫ ମଧ୍ୟ ହୋଇ ସାରିଲେଣି।

ଅନ୍ୟପକ୍ଷରେ ଶନିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ରବିବାର ଅନୁଷ୍ଠିତ ହେବାକୁ ଥିବା ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଖୁବ ଶୀଘ୍ର ତାରିଖ ଘୋଷଣା କରାଯାଇ ପରୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥରେ ତଥା ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

Comments are closed.