Latest Odisha News

BREAKING NEWS

ସ୍କୁଲ୍ ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା: ରାଜ୍ୟରେ ଲାଗୁ ହେଲା NEP-2020, ବର୍ଷକୁ ୧୦ ଦିନ ‘ବ୍ୟାଗ୍‌-ମୁକ୍ତ’ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଓ ଯୁଗାନ୍ତକାରୀ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର। ଗତ କିଛି ବର୍ଷ ଧରି କୋମଳମତି ଶିଶୁଙ୍କ ପିଠିରେ ବସ୍ତାନିର ବୋଝ ଏବଂ ପାଠପଢ଼ାର ମାନସିକ ଚାପକୁ ନେଇ ଯେଉଁ ଉଦ୍‌ବେଗ ପ୍ରକାଶ ପାଉଥିଲା, ତାହାର ଅନ୍ତ ଘଟିବାକୁ ଯାଉଛି।

 

ଜାତୀୟ ଶିକ୍ଷା ନୀତି (NEP-2020)କୁ ବିଦ୍ୟାଳୟ ସ୍ତରରେ ବାସ୍ତବ ରୂପ ଦେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସମ୍ପୂର୍ଣ୍ଣ ନୂଆ ଶିକ୍ଷାବର୍ଷର ନୀତି ଏବଂ ଟାଇମ୍ ଟେବୁଲ ଜାରି କରାଯାଇଛି। ଏହି ନୂଆ ବ୍ୟବସ୍ଥାର ସବୁଠାରୁ ବଡ଼ ଦିଗ ହେଉଛି ବର୍ଷକୁ ୧୦ ଦିନ ପିଲାମାନେ ସମ୍ପୂର୍ଣ୍ଣ ବିନା ବ୍ୟାଗ୍‌ରେ ସ୍କୁଲ୍ ଆସିବେ।

 

କମିବ ବୋଝ, ବଦଳିବ ପାଠ୍ୟକ୍ରମର ରୂପରେଖନୂଆ ଶିକ୍ଷା ନୀତି ଆଧାରରେ ପ୍ରସ୍ତୁତ ଏହି ଗାଇଡ୍‌ଲାଇନ୍ ଅନୁଯାୟୀ, ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବିଷୟବସ୍ତୁ ଉପରୁ ପାରମ୍ପରିକ ଭାର ହ୍ରାସ କରାଯିବ।

 

ପାଠପଢ଼ାକୁ କେବଳ ବହି ଭିତରେ ସୀମିତ ନରଖି ଏହାକୁ କାର୍ଯ୍ୟଭିତ୍ତିକ ଓ ଗଠନମୂଳକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।ଏହି ନୂଆ କ୍ୟାଲେଣ୍ଡର ଅନୁସାରେ ଗୋଟିଏ ଶିକ୍ଷାବର୍ଷକୁ ମୋଟ ୨୩୦ ଦିନ କରାଯାଇଛି | ନୂଆ ନିୟମ ଅନୁଯାୟୀ, ପ୍ରତି ଶନିବାର ଦିନକୁ ବସ୍ତାନି ବିହୀନ ଦିବସ ଭାବେ ପାଳନ କରାଯିବ। ବିଶେଷ କରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୃଦ୍ଧିଗତ ଶିକ୍ଷା (Vocational Education)ର ୪ଟି ପିରିୟଡ଼ ମଧ୍ୟରୁ ଗୋଟିଏ ପିରିୟଡ଼କୁ ସମ୍ପୂର୍ଣ୍ଣ ରୂପେ ବସ୍ତାନି ବିହୀନ କରାଯିବ।

 

ଏହି ଦିନ ପିଲାମାନେ ବହି-ଖାତା ଛାଡ଼ି ସୃଜନଶୀଳ କାମ ଏବଂ ବ୍ୟାବହାରିକ ଜ୍ଞାନ ଶିଖିବେ। ଏଥିସହିତ ପ୍ରତି ଶନିବାର ବିଦ୍ୟାଳୟରେ ‘ଶିଶୁ ସଭା’ ଅନୁଷ୍ଠିତ ହେବ।ଶିଶୁ ବାଟିକା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାପ୍ରାଥମିକ ସ୍ତରରୁ ହିଁ ପିଲାଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ଓ ମାନସିକ ବିକାଶ ବଢ଼ାଇବା ପାଇଁ ଶିଶୁ ବାଟିକାର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଦିନ ‘ଗୋଲ ବୈଠକ’ ଆୟୋଜନ କରାଯିବ।

 

ବିଭାଗ ପକ୍ଷରୁ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ପ୍ରାୟ ୪୯୮ ପ୍ରକାରର ଟାଇମ୍ ଟେବୁଲ ପ୍ରସ୍ତୁତ କରାଯାଇଛି। ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ମୋଟ ୪୨ଟି ପିରିୟଡ଼୍ କ୍ଲାସ ହେବ ଏବଂ ଦୈନିକ ୭ଟି ପିରିୟଡ଼୍‌ରେ ଶିକ୍ଷାଦାନ କରାଯିବ।

Leave A Reply

Your email address will not be published.