Latest Odisha News

BREAKING NEWS

ନେପାଳ ବିମାନ ଦୁର୍ଘଟଣା: ହିମାଳୟ ପାଦଦେଶରେ ଚାରି ଓଡ଼ିଆଙ୍କ ଜୁଇ ଜଳିଲା

କାଠମାଣ୍ଡୁ: ଯେଉଁସ୍ଥାନକୁ ବୁଲିବା ପାଇଁ ଚାରି ଓଡ଼ିଆ ଯାଇଥିଲେ। ଏବେ ସେହି ସ୍ଥାନରେ ତାଙ୍କର ଜୁଇ ଜଳିଛି । ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୋନପୁରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ (ଛାଡପତ୍ର ଦେଇଥିଲେ) ବୈଭବୀ ବନ୍ଦେକର ତ୍ରିପାଠୀ ଓ ପୁଅ ଧନୁଷ (୨୨) ଏବଂ ରିତିକା (୧୫) ପ୍ରାଣ ହରାଇଥିଲେ। ଗୁରୁବାର ଏହି ଚାରି ଓଡ଼ିଆଙ୍କ ମୃତକଙ୍କୁ କାଠମାଣ୍ଡୁର ପବିତ୍ର ପଶୁପତିନାଥ ମନ୍ଦିର ପରିସରରେ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ବେଳେ ଅଶୋକଙ୍କ ଭାଇ ଓ ଭାଉଜ ଉପସ୍ଥିତ ଥିଲେ। ପଶୁପତିନାଥ ମନ୍ଦିର ନେପାଳର ଏକ ପ୍ରମୁଖ ହିନ୍ଦୁ ମନ୍ଦିର ମଧ୍ୟରୁ ଅନ୍ୟତମ। ଏହା ପୂର୍ବରୁ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ନେପାଳରେ ଥିବା ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ରଖାଯାଇଥିଲା। ଅଶୋକଙ୍କ ଭାଇ ପହଞ୍ଚିବା ପରେ ତାଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।

ରବିବାର ଘଟିଥିବା ଏହି ବିମାନ ଦୁର୍ଘଟଣାରେ ମୋଟ୍ ୨୨ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ମୃତକଙ୍କୁ ଉଦ୍ଧାର କରାଯାଇଥିଲା। ପାହାଡ ଉପର ଦେଇଯାଉଥିବା ବେଳେ ଆକାଶ ମେଘାଛନ୍ନ ଥିବା ସହ ପାଗ ଖରାପ ଥିଲା। ଯେଉଁଥିପାଇଁ ଏହି ଘରୋଇ ବିମାନର ପାଇଲଟ ଜାଣିନପାରି ପାହାଡ ଉପରେ ବାଡେଇ ହୋଇଥିଲେ। ଏହାପରେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିଲା। ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ପାଇଲଟଙ୍କ ମୋବାଇଲକୁ ଫୋନ୍ କରି ଜିପିଏସ ଜରିଆରେ ବିମାନକୁ ଠାବ କରିଥିଲେ। ଯାହାକି ଭାଙ୍ଗିରୁଜି ହୋଇ ଏଣେ ତଣେ ପଡିଥିଲା ବୋଲି ନେପାଳ ଆର୍ମି ଦେଖିବାକୁ ପାଇଥିଲା।

ଏହାପରେ ମଙ୍ଗଳବାର ମୃତ ଶରୀର ଗୁଡିକୁ ପାହାଡ ଉପରେ ଏଣେ ତେଣେ ପଡିଥିବା ଦେଖିବାକୁ ପାଇଥିଲେ। ଏହି ଦୁର୍ଘଟଣାରେ ନେପାଳ ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଉଦ୍ଧାର ହୋଇଥିବା ବ୍ଲାକ ବକ୍ସର ରିପୋର୍ଟ ଅନୁଯାୟୀ ପାଗ ଖରାପ ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି।

Leave A Reply

Your email address will not be published.