Latest Odisha News

BREAKING NEWS

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ମୟୂରଭଞ୍ଜ: ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି । ଏହା ସହିତ ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ମୋଟ ୪୩୦.୨୬ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହି ବୃହତ ବ୍ୟୟବରାଦ ଅଧୀନରେ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କ୍ଷେତ୍ର ସହିତ ଜଡ଼ିତ ୩୯ଟି ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁଧାର ଆସିବ, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି ।

ଏହି ବିଶାଳ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ୨୮୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୯ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୮ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରାଯାଇଛି । ବିଶେଷ ଭାବେ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପ ଆଜି ଉଦଘାଟିତ ହୋଇଛି, ଯାହା ଦ୍ୱାରା ଏହି ସବୁ ଅଞ୍ଚଳରେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବ ଏବଂ ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ସୁଧାର ଆସିବ । ଏହି ସମସ୍ତ ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ସମସ୍ତ ମୌଳିକ ସେବା ଯୋଗାଇଦେବାରେ ସହାୟକ ହେବ ।

ଏହି ସାର୍ବଜନୀନ ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ପ୍ରମୁଖ ଆକର୍ଷଣ ଥିଲା ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ବିଲ୍‍ଡିଂର ଲୋକାର୍ପଣ । ଏହି ଅତ୍ୟାଧୁନିକ ବହୁମୁଖୀ ଚିକିତ୍ସାଳୟ କେବଳ ବାରିପଦା କିମ୍ବା ମୟୂରଭଞ୍ଜ ଜିଲ୍ଲା ନୁହେଁ, ବରଂ ସମଗ୍ର ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାୟ ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ। ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନ‌ତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧.୩୦ କୋଟି ପରିବାରର ୩.୪୬ କୋଟି ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ନାମିଦାମୀ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯାଇଛି । ଗତ ଫେବୃଆରୀ ମାସରେ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଯାଇଥିବା ବେଳେ ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ ।

ସେହିପରି ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗଜପତି, ମାଲକାନଗିରି, ରାୟଗଡାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ ଓ ନୂଆପଡାରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରି ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ ।

Leave A Reply

Your email address will not be published.