Latest Odisha News

BREAKING NEWS

FIFA World Cup 2026:ବିଶ୍ୱକପ୍‌ରେ କ୍ଲବ୍ ଗୁଡ଼ିକ ଉପରେ ଟଙ୍କା ବର୍ଷା କରିବ ଫିଫା

ନୂଆଦିଲ୍ଲୀ:ଚଳିତ ବର୍ଷ ଆମେରିକା, ମେକ୍ସିକୋ ଏବଂ କାନାଡାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌କୁ ନେଇ ଆସିଛି ଏକ ବଡ଼ ଖବର। କେବଳ ଖେଳାଳି ନୁହନ୍ତି, ବରଂ ଏଥର ଫୁଟବଲ୍ କ୍ଲବ୍‌ଗୁଡ଼ିକ ମଧ୍ୟ ହେବାକୁ ଯାଉଛନ୍ତି ମାଲାମାଲ୍‌। ବିଶ୍ୱକପ୍‌ ପାଇଁ ନିଜ ଖେଳାଳିମାନଙ୍କୁ ଛାଡ଼ିଥିବା କ୍ଲବ୍‌ଗୁଡ଼ିକୁ ମୋଟ ୩୫୫ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୨ ହଜାର୯୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବ ଫିଫା।

ଫିଫାର ‘କ୍ଲବ୍ ବେନିଫିଟ୍ ପ୍ରୋଗ୍ରାମ’ ଅଧୀନରେ ଏହି ବିପୁଳ ପରିମାଣର ଅର୍ଥ ବଣ୍ଟନ କରାଯିବ। ଖେଳାଳିମାନେ ଦେଶ ପାଇଁ ଖେଳୁଥିବା ସମୟରେ କ୍ଲବ୍‌ଗୁଡ଼ିକୁ ହେଉଥିବା କ୍ଷତିର ଭରଣା ପାଇଁ ଫିଫା ଏହି ପଦକ୍ଷେପ ନେଇଛି। ଏବଂ ସବୁଠାରୁ ବଡ଼ କଥା ହେଉଛି, ଚଳିତ ବର୍ଷ ପ୍ରଥମ ଥର ପାଇଁ କେବଳ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ନୁହେଁ, ବରଂ କ୍ଵାଲିଫାଇଙ୍ଗ୍ ବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାଗ ନେଇଥିବା ଖେଳାଳିଙ୍କ କ୍ଲବ୍‌କୁ ମଧ୍ୟ ଟଙ୍କା ମିଳିବ।

ମୋଟ ୩୫୫ ମିଲିୟନ୍ ଡଲାର ମଧ୍ୟରୁ ୨୫୦ ମିଲିୟନ୍ ଡଲାର କେବଳ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ପାଇଁ ରଖାଯାଇଛି।
କ୍ଵାଲିଫାଇଙ୍ଗ୍ ରାଉଣ୍ଡ ପାଇଁ ୧୦୦ ମିଲିୟନ୍ ଡଲାର ଏବଂ ବାକି ୫ ମିଲିୟନ୍ ଡଲାର ଫୁଟବଲ୍‌ର ଅନ୍ୟାନ୍ୟ ବିକାଶ ପାଇଁ ଖର୍ଚ୍ଚ ହେବ।

ତେବେ କ୍ଲବ୍‌ଗୁଡ଼ିକୁ ଏହି ପେମେଣ୍ଟ ‘ପ୍ରତି ଖେଳାଳି, ପ୍ରତିଦିନ’ ହିସାବରେ ମିଳିବ। ମୁଖ୍ୟ ଟୁର୍ଣ୍ଣାମେଣ୍ଟରେ ଜଣେ ଖେଳାଳି କ୍ଲବ୍ ଛାଡ଼ିବା ଦିନଠାରୁ ତାଙ୍କ ଦଳର ଶେଷ ମ୍ୟାଚ୍‌ର ପରଦିନ ପର୍ଯ୍ୟନ୍ତ, ପ୍ରତିଦିନ ପାଇଁ କ୍ଲବ୍‌କୁ ୫,୦୦୦ ଡଲାର (ପ୍ରାୟ ୪ ଲକ୍ଷ ୧୫ ହଜାର ଟଙ୍କା) ମିଳିବ। ସେହିପରି ଯୋଗ୍ୟତା ପର୍ଯ୍ୟାୟର ପ୍ରତି ମ୍ୟାଚ୍‌ ପାଇଁ କ୍ଲବ୍‌କୁ ୨,୩୬୨ ଡଲାର ମିଳିବ।

ଯଦିଓ ୨୦୨୨ କାତାର ବିଶ୍ୱକପ୍ ତୁଳନାରେ ଦୈନିକ ପେମେଣ୍ଟ ହାର ଅଧା ହୋଇଯାଇଛି, କିନ୍ତୁ ଏଥର ଟୁର୍ଣ୍ଣାମେଣ୍ଟ ଅଧିକ ଦିନ ଚାଲିବ ଏବଂ ୩୨ ବଦଳରେ ୪୮ଟି ଦଳ ଭାଗ ନେଉଥିବାରୁ କ୍ଲବ୍‌ ଗୁଡ଼ିକ ମୋଟା ଅଙ୍କର ମୁନାଫା କମାଇବେ।

ହିସାବ କହୁଛି, ଏହି ବିଶ୍ୱକପ୍‌ରେ ସବୁଠାରୁ କମ୍ ସମୟ ଅର୍ଥାତ୍ ୧୪ ଦିନ ରହିବାକୁ ଥିବା ଦଳର ଜଣେ ଖେଳାଳି ମଧ୍ୟ ନିଜ କ୍ଲବ୍ ପାଇଁ ଅତିକମରେ ୧ ଲକ୍ଷ ୬୦ ହଜାର ଡଲାର (ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା) ରୋଜଗାର କରିଦେବେ। ଯେଉଁ ଖେଳାଳିଙ୍କ ଦଳ ଫାଇନାଲ୍‌ରେ ପହଞ୍ଚିବ, ସେହି ୫୭ ଦିନର ଯାତ୍ରା ପାଇଁ କ୍ଲବ୍‌କୁ ମିଳିବ ପ୍ରାୟ ୨ ଲକ୍ଷ ୮୫ ହଜାର ଡଲାର ବା ୨ କୋଟି ୭୨ ଲକ୍ଷଟଙ୍କା । ଏବେ ଅପେକ୍ଷା କେଉଁ କ୍ଲବ୍ ଏଥର ସବୁଠାରୁ ଅଧିକ ଧନୀ ହେଉଛି।

Leave A Reply

Your email address will not be published.