Latest Odisha News

BREAKING NEWS

ଲୋକସଭାରେ କେଉଁ ଭାଷାରେ ଶପଥ ନେଲେ ଓଡିଶାର ବିଜେପି ସାଂସଦ ?

ଭୁବନେଶ୍ବର: ସଂସଦରେ ଶୁଭିଲା ଓଡିଆ ଅସ୍ମିତାର ସ୍ବର । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଗୃହ । ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଓଡିଆ ଅସ୍ମିତାକୁ ଗତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିବା ବିଜେପି, ଲୋକସଭାରେ ଶପଥ ଗ୍ରହଣ ବେଳେ ବି ଏହାର ଝଲକ ଦେଖାଇଛି । କିଏ ଓଡିଆରେ କିଏ ସଂସ୍କୃତରେ ତ କିଏ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି ।

ଓଡିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ, ସାଂସଦ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ସୋମବାର ଶପଥ ପାଠ କରିଛନ୍ତି । ଉଭୟ ଓଡିଆ ଭାଷାରେ ହିଁ ଶପଥ ପାଠ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ତ ଜୁଏଲ୍ ଓରାମ ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ପୁରୀ ସାଂସଦ ସମ୍ବିତ ପାତ୍ର ହୁଅନ୍ତୁ କି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ଓଡିଆ ଭାଷାରେ ଶପଥ ନେଇଛନ୍ତି । ଅଧିକାଂଶ ସାଂସଦ ଜୟ ଜଗନ୍ନାଥ କହି ଶପଥ ପାଠ ଶେଷ କରିଛନ୍ତି । ତେବେ ଭୁବନେଶ୍ବରର ପ୍ରତିନିଧିତ୍ବ କରୁଥିବା ଅପରାଜିତା ଷଡଙ୍ଗୀ ଏହାସହ ଜୟ ଲିଙ୍ଗରାଜ ଯୋଡିଛନ୍ତି ତ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଶପଥ ପାଠ ବେଳେ ଜୟ ତାରାତାରିଣୀଙ୍କ ନାଁ ଧରିଛନ୍ତି । ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଜୟ ଦଶମତି ପାଟଣେଶ୍ବରୀ ଜୟ ସମଲେଇ କହିବା ସହ ଜୟ ପଶ୍ଚିମ ଓଡିଶା ବି କହିଛନ୍ତି । ଓଡିଆ ସାଂସଦଙ୍କ ଶପଥ ଗ୍ରହଣ ବେଳେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ ଧ୍ବନିରେ କମ୍ପିଥିଲା ଗୃହ ।

ସଂସ୍କୃତରେ ପ୍ରତାପ ସାନ୍ତାଳୀରେ ନବ

ଲୋକସଭା ସାଂସଦଙ୍କ ଶପଥ ଗ୍ରହଣ ବେଳେ ଦେଖିବାକୁ ମିଳିଛି ଭାଷାର ବିବିଧତା । କେବଳ ମାତୃଭାଷା ନୁହେଁ ସଂସ୍କୃତ, ସାନ୍ତାଳୀ ଓ ଇଂରାଜୀରେ ବି ଶପଥ ନେଇଛନ୍ତି ବିଜେପି ସାଂସଦ । ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଛନ୍ତି । ସେହିପରି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି । ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଇଂରାଜୀ ଭାଷାରେ ଶପଥ ଗ୍ରହଣ କରିଥିଲେ । ନବନିର୍ବାଚିତ ସାଂସଦଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି।

ଜିତାଇଥିଲା ଓଡ଼ିଆ ଅସ୍ମିତା

ଗତ ନିର୍ବାଚନରେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ରାଜ୍ୟରେ ଚମକାଇଥିଲା ବିଜେପି । ମୋଟ୍ ୨୧ଲୋକସଭା ଆସନରୁ ୨୦ଟି ସିଟ୍ ଯାଇଥିଲା ବିଜେପି ଖାତାକୁ। ଓଡିଆ ବନାମ ଅଣଓଡିଆ ହେଉ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ, ରାଜ୍ୟବାସୀଙ୍କ ମନକୁ ଛୁଇଁଥିଲା । ଆଉ ସେଥିପାଇଁ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ପାଇଁ ୨୦ ସାଂସଦ ସହ ସବୁଠୁ ବଡ ସପୋର୍ଟ ହୋଇଛି । ତେଣୁ ଲୋକସଭାରେ ସାଂସଦଙ୍କ ଶପଥ ଗ୍ରହଣ ବେଳେ ଓଡିଆ ଅସ୍ମିତାର ଦେଖିବାକୁ ମିଳୁଛି । ନିର୍ବାଚନ ପରବର୍ତ୍ତୀ ଭାଷଣରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ ନାରା ଲଗାଇଥିଲେ । ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡିଶା ପ୍ରଦେଶ । ତେଣୁ ଭାଷା ହିଁ ଓଡିଶାର ପରିଚୟ । ତେବେ କେବଳ ଶପଥ ପାଠ ନୁହେଁ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ଦିଗରେ ପଦକ୍ଷେପ ନେବା ଜରୁରୀ ।  ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଥିବାରୁ ଓଡିଶା ସ୍ବାର୍ଥ ପାଇଁ ସ୍ବର ଉଠାଇବା ସହ ରାଜ୍ୟର ସମୃଦ୍ଧି ପାଇଁ ଏକସ୍ବର ହୁଅନ୍ତୁ ବିଜେପି ସାଂସଦ ।

Leave A Reply

Your email address will not be published.