ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟା ପରେ ଏବେ ରେଳ ଷ୍ଟେସନ ପାଇଁ କିଛି ନୂଆ ଯୋଜନା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହାକୁମ୍ଭ ଭକ୍ତଙ୍କ ପ୍ରୟାଗରାଜ ଅଭିମୁଖେ ଟ୍ରେନ୍ ଧରିବା ସମୟରେ ହଠାତ୍ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହେବା ପରେ କିଛି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମିଳିଥିବା ସୂଚନା ଅଦୁଯାୟୀ, କେନ୍ଦ୍ର ସରକାର ୬୦ ଟି ଅଧିକ ଟ୍ରାଫିକ୍ ଥିବା ରେଳ ଷ୍ଟେସନରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାୟୀ ହୋଲ୍ଡିଂ ଜୋନ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିସହିତ ଭିଡ଼ ଏବଂ ଏଭଳି ଦଳାଚକଟା ସଙ୍କଟ ପରିଚାଳନା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରାଯିବ ।
ସୂଚନା ଅନୁଯାୟୀ, ରେଳ ଷ୍ଟେସନର ସ୍ଥାନୀୟ ଅଧିକାରୀମାନେ ପରିସ୍ଥିତି ଗତ ସଚେତନତା ଏବଂ ସଙ୍କଟ ପରିଚାଳନାର ତାଲିମ ପାଇବେ । ଏଥିସହିତ ଦିଗଦର୍ଶନ ସହାୟତା ପାଇଁ, ଯାତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଜୋନ୍ ଆଡ଼କୁ ମାର୍ଗଦର୍ଶନ କରିବା ପାଇଁ ସେମାନଙ୍କୁ ତାଲିମ୍ ଦିଆଯିବ । ଭିଡ଼ ଗତିବିଧି ଉପରେ ନଜର ରଖିବା ପାଇଁ ଏଆଇ ସମେତ ପ୍ରଯୁକ୍ତିର ବ୍ୟବହାର କରାଯିବ, ବିଶେଷକରି ଟ୍ରେନ୍ ବିଳମ୍ବ ସମୟରେ, ପ୍ରୟାଗରାଜ ସହିତ ସଂଯୁକ୍ତ ପ୍ରାୟ ୩୫ଟି ଷ୍ଟେସନ କେନ୍ଦ୍ରୀୟ ଯୁଦ୍ଧ କକ୍ଷ ଦ୍ୱାରା ତଦାରଖ କରାଯିବ ।
ପାଖାପାଖି ୨୦୦ଟି ସିସିଟିଭି ଦିଲ୍ଲୀ ରେଳ ଷ୍ଟେସନରେ ଲାଗିବ ସହ, ଏହା ଲୋକଙ୍କ ଉଠିବା, ବସିବା ଟ୍ରେନ୍ ଧରିବା, ଟ୍ରେନ୍ ଛାଡିବା ଏବଂ ଅଧିକ ଗହଳି ଥିବା ସ୍ଥାନରେ ଏଆଇ କ୍ୟାମରା ନଜର ରଖିବ । ଏଥିସହିତ ଅଧିକ ଭିଡ଼ ସମ୍ବନ୍ଧୀୟ ସମସ୍ୟା ଚିହ୍ନଟ କରିବା ପାଇଁ ରେଳବାଇ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇବ । ଯେଉଁଥିରେ ଯାତ୍ରୀ, କୁଲି ଏବଂ ଦୋକାନୀମାନଙ୍କଠାରୁ ମତାମତ ନେବ ରେଳବାଇ ବିଭାଗ ।
Comments are closed.