Latest Odisha News

BREAKING NEWS

ବର୍ଷା ଦିନେ ରାଜଧାନୀର ନଗ୍ନ ଚିତ୍ର, କିଛି ଏମିତି କହିଲା ବିଏମସି……

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି ରାଜଧାନୀ ଭୁବନେଶ୍ବର । ଜଳ ନିଷ୍କାସନ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବର୍ଷା ଦିନ ଆସିଲେ ପୁଣି ସେହି ପୁରୁଣା ସ୍ଥିତି । ପାଣିରେ ଉବୁଟୁବୁ ହେଉଛି ରାଜଧାନୀର ପ୍ରମୁଖ ଅଞ୍ଚଳ । ଭୁବନେଶ୍ୱରର ପ୍ରାୟ ୧୨ଟି ଅଞ୍ଚଳ ବର୍ଷାଦିନେ ଜଳମଗ୍ନ ହୋଇଯାଏ । ଯାହା ଫଳରେ ଯାତାୟତରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଥାଏ । ତା’ମଧ୍ୟରୁ ଇସ୍କନ ମନ୍ଦିର ଅଞ୍ଚଳ ବେଶୀ ପ୍ରଭାବିତ ହୁଏ। ସେହିପରି ଜୟଦେବ ବିହାର, ବମିଖାଲ, ରସୁଲଗଡ଼ ରୋଡ୍, ସିଟି ୱିମେନ୍ କଲେଜରୁ ଜାଗମରା ରାସ୍ତା, କଳିଙ୍ଗ ଷ୍ଟୁଡିଓ ଛକ, ସୁବାସ ନଗର ବସ୍ତି, ରୁଦ୍ରପୁର ଅଞ୍ଚଳର ୱାର୍ଡ ନମ୍ୱର ୪, ସୁଇଟି କଂପ୍ଲେକ୍ସ, ରାଜୀବ ନଗର, ପାଇକ ନଗର, ବନଫୁଲ ବସ୍ତି ଓ ଲକ୍ଷ୍ମୀସାଗର ଗାଁ ଅଞ୍ଚଳର ଲୋକେ ପ୍ରତିବର୍ଷ ବର୍ଷା ଆସିଲେ ହନ୍ତସନ୍ତ ହୁଅନ୍ତି ।

ଯାହାକୁ ନେଇ ଅତିଷ୍ଠ ହୋଇଗଲେଣି ରାଜଧାନୀ ବାସୀ । ପ୍ରତିବର୍ଷ ସେହି ସମାନ ପରିସ୍ଥିତିର ନଗ୍ନ ଚିତ୍ର ବଖାଣି ବଖାଣି ଅତିଶୟ ମଧ୍ୟ ହୋଇଗଲେଣି । ହେଲେ ସ୍ଥିତି ଯାହାକୁ ସେଇଆ । ଯାହାକୁ ନେଇ ଏବେ ବି ପ୍ରଶ୍ନ କରୁଛନ୍ତି ରାଜଧାନୀବାସୀ, ଆଉ କେତେ ଦିନ ଏ ଜଳ ଯନ୍ତ୍ରଣା ? ନା କିଛି ବଡ ଅଘଟଣକୁ ଅପେକ୍ଷା କରିଛି ବିଏମସି?

ତେବେ ଏହାରି ଭିତରେ ଏହାକୁ ନେଇ ମନ୍ତବ୍ୟ ରଖିଛନ୍ତି ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟଯନ୍ତ୍ରୀ । ତାଙ୍କ କହିବାନୁସାରେ, ଇସ୍କନ ମନ୍ଦିର ସମ୍ମୁଖରୁ ପାଣି ନିଷ୍କାସନ ପାଇଁ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ଡ୍ରେନ କରାଯିବା ପାଇଁ ବିଏମସିର ପ୍ରସ୍ତାବ ରହିଛି। ଇସ୍କନ ମନ୍ଦିର ସମ୍ମୁଖରୁ ଅଣ୍ଡରଗ୍ରାଉଣ୍ଡ ଦେଇ ବାଣୀବିହାର ପର୍ଯ୍ୟନ୍ତ ଡ୍ରେନ ଯାଇ ୪ ନମ୍ୱର୍ ମୁଖ୍ୟ ନାଳରେ ମିଶିବ। ଫଳରେ ମନ୍ଦିର ସମ୍ମୁଖ ରାସ୍ତାରେ ଆଉ ପାଣି ଜମିବ ନାହିଁ। ସେହିପରି ଅନ୍ୟ ୧୧ଟି ଜାଗାରେ କଲଭର୍ଟ ନିର୍ମାଣଠୁ ଆରମ୍ଭ କରି ନୂଆ ଡ୍ରେନ ଏବଂ ଡିସପୋଜାଲ ପଏଣ୍ଟ ତିଆରି ହେବା ଆବଶ୍ୟକ। ଫଳରେ ସହରର ଉକ୍ତ ସ୍ଥାନଗୁଡିକ ଜଳବନ୍ଦୀ ସମସ୍ୟାରୁ ମୁକ୍ତ ପାଇବ । ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମ୍‌ସି ଯେଉଁ ସବୁ ପ୍ରସ୍ତାବ ଦେଇଛି, ତାକୁ କାର୍ଯ୍ୟକାରୀ କରିବାକୁ ପାଖାପାଖି ଦେଢ଼ ବର୍ଷ ସମୟ ଲାଗିବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ । ଏହାପରେ ଆଉ ରାଜଧାନୀରେ ଜଳବନ୍ଦୀ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ବିଳାସ କୁମାର ବେହେରା ।

Leave A Reply

Your email address will not be published.