Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି ପ୍ରସ୍ତୁତି । ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ, ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବଢ଼ାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏହାସହ ନିର୍ବାଚନୀ ପ୍ରଚାରରେ ବ୍ୟବୃହତ ହେବାକୁ ଥିବା ଗାଡ଼ିର ସଂଖ୍ୟାକୁ ମଧ୍ୟ ବଢ଼ାଯାଇଛି ।

ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମାକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମାକୁ ଦେଢ଼ ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା କରାଯାଇଥିଲା । ଏଥର ଏହି ଖର୍ଚ୍ଚ ସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହିପରି ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚକୁ ୮୦ ହଜାର ଟଙ୍କାରୁ ବଢ଼ାଯାଇ ୨ ଲକ୍ଷ ଟଙ୍କାକୁ ପର୍ଯ୍ୟନ୍ତ କରାଯାଇଛି ।

ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀ ସର୍ବାଧିକ ୫ଟି କାର ଓ ୧୦ଟି ମୋଟର ସାଇକେଲ ବ୍ୟବହାର କରିପାରିବେ । ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ୨ଟି କାର ଓ ୫ଟି ମୋଟର ସାଇକେଲକୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରିପାରିବେ । ଏହାସହ ଭୋଟ ଗ୍ରହଣ ସମୟ ସୀମା ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଭୋଟ ସମୟ ସୀମା ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କରିବାକୁ ସ୍ଥିର ହୋଇଛି । ଏହି ନିର୍ଦ୍ଦେଶନାମାକୁ ଯଦି କେହି ଅବମାନନା କରନ୍ତି, ତେବେ ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଭାବେ ବିବେଚନା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

Leave A Reply

Your email address will not be published.