ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ‘ୱଣ୍ଡର ବୟ’ କୁହାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଶୁକ୍ରବାର ବୈଭବଙ୍କୁ ୧୫ ବର୍ଷ ପୂରିବା ସହିତ ସେ ବିଧିବଦ୍ଧ ଭାବେ ଭାରତୀୟ ସିନିୟର ଦଳ ପାଇଁ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ, ICC ର ନିୟମ ଅନୁଯାୟୀ, କୌଣସି ବି ଖେଳାଳିଙ୍କୁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଅତିକମରେ ୧୫ ବର୍ଷ ହେବା ଜରୁରୀ। ଏହି ସର୍ତ୍ତ ପୂରଣ ହେବା ପରେ ଏବେ ବୈଭବଙ୍କ ପାଇଁ ନୀଳ ଜର୍ସି ପିନ୍ଧିବାର ସ୍ୱପ୍ନ ଆହୁରି ନିକଟତର ହୋଇଛି।
ବୈଭବ ସୂର୍ଯ୍ୟବଂଶୀ ନିଜର ପ୍ରତିଭା ବଳରେ ଖୁବ୍ କମ୍ ବୟସରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର ୧୪ ବର୍ଷ ବୟସରେ ସେ ICC ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ୍ରେ ଭାରତର ପ୍ରତିନିଧିତ୍ୱ କରି ସାରିଛନ୍ତି। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଏବଂ ଲମ୍ବା ଛକା ମାରିବାର କ୍ଷମତା କ୍ରିକେଟ୍ ପ୍ରେମୀଙ୍କୁ ଆକର୍ଷିତ କରେ ।
IPL ରେ ସବୁଠାରୁ ଦ୍ରୁତ ଶତକ ରହିଛି ବୈଭବଙ୍କ ନାଁରେ । ମାତ୍ର ୩୫ ବଲ୍ରେ ଶତକ ହାସଲ କରି ସେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ଆଗାମୀ IPL ୨୦୨୬ ସିଜନ୍ରେ ବୈଭବ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ।
ରାଜସ୍ଥାନ ରୟାଲ୍ସ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ଏହି ଯୁବ ଖେଳାଳିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛି। ଟିମ୍ କ୍ୟାପଟେନ ରିୟାନ୍ ପରାଗ ବୈଭବଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେ ବର୍ତ୍ତମାନ ମିଡିଆଠାରୁ ଦୂରରେ ରହି ନିଜ ଖେଳ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।
ଚର୍ଚ୍ଚା ହେଉଛି ଯେ, ଆଗାମୀ ସିଜନ୍ରେ ବୈଭବ ସୂର୍ଯ୍ୟବଂଶୀ ଷ୍ଟାର୍ ବ୍ୟାଟର ଯଶସ୍ୱୀ ଜୈସୱାଲଙ୍କ ସହ ଓପନିଂ ବ୍ୟାଟିଂ କରିପାରନ୍ତି। ଯଦି ଏହା ହୁଏ, ତେବେ କ୍ରିକେଟ୍ ପ୍ରେମୀମାନେ ଦୁଇଜଣ ବିସ୍ଫୋରକ ବାମହାତୀ ବ୍ୟାଟରଙ୍କ ଯୋଡ଼ି ଦେଖିବାକୁ ପାଇବେ। ମାତ୍ର ୧୫ ବର୍ଷ ବୟସରେ ଟିମ୍ ଇଣ୍ଡିଆ ପାଇଁ ଯୋଗ୍ୟ ହେବା ବୈଭବଙ୍କ ଅସାଧାରଣ ପ୍ରତିଭାର ପରିଚୟ ଦେଉଛି।