ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ସଜାଗ ହୋଇଛି ଶିକ୍ଷା ବିଭାଗ । ପାଠ୍ୟପୁସ୍ତକରେ ତ୍ରୁଟି ରୋକିବା ଏବଂ ପାଠପଢ଼ାକୁ ଅଧିକ ଆଧୁନିକ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏଣିକି ପାଠ୍ୟପୁସ୍ତକରେ ରହିବ ବାରକୋଡ୍ ବ୍ୟବସ୍ଥା ।
ବାରକୋଡ୍ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ାକୁ ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତିନିର୍ଭର କରିବା ସହିତ ଭବିଷ୍ୟତରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ତ୍ରୁଟିମୁକ୍ତ ଓ ଗୁଣାତ୍ମକ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ପ୍ରଥମେ ପ୍ରତ୍ୟେକ ଜିଲ୍ଲାକୁ ହାତଗଣତି ସଂଖ୍ୟାରେ ପାଠ୍ୟପୁସ୍ତକ ପଠାଯିବ । ସେହି ବହିଗୁଡ଼ିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାଞ୍ଚ କରିବା ସହିତ ସେଥିରେ କୌଣସି ତ୍ରୁଟି ରହିଛି କି ନାହିଁ ତାହା ଚିହ୍ନଟ କରିବେ ।
ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାରକୋଡ୍ ସ୍କାନ୍ କରି ପାଠ୍ୟବସ୍ତୁ ସମ୍ବନ୍ଧୀୟ ଅତିରିକ୍ତ ସୂଚନା, ଡିଜିଟାଲ କଣ୍ଟେଣ୍ଟ, ଭିଡିଓ ଓ ଶିକ୍ଷାଦାନ ସାମଗ୍ରୀର ସହଜ ସୁବିଧା ପାଇପାରିବେ ।
