ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବ ବର୍ଷ । ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା । ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ । ବିବାହ, ବ୍ରତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦି ବିଷୟରେ ସୂଚନା ପାଇଁ ଓଡ଼ିଶାବାସୀ ପାଞ୍ଜି ଉପରେ ନିର୍ଭର କରନ୍ତି । ଆଜି ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହେଉଛି ।
ତେବେ ନୂଆ ପଞ୍ଜିକା ହିସାବରେ ଏ ବର୍ଷ ଗୋଟିଏ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ, କଙ୍କଣାକୃତି ସୂର୍ଯ୍ୟୋପରାଗ, ଆଶିଂକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ । ତେବେ ୨୦୨୬-୨୭ ମସିହାରେ ସର୍ବ ମୋଟ ୪ଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବ ।
ତେବେ ଅଗଷ୍ଟ ୧୨ ତାରିଖରେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ହେବ । ଏହା ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ । ଏହି ସୂର୍ଯ୍ୟୋପରାଗ ଉତ୍ତର ଆମେରିକା ପଶ୍ଚିମ ଆଫ୍ରିକା, ୟୁରୋପ ଆଦି ଅଞ୍ଚଳରେ ଦୃଶ୍ୟ ହେବ ।
ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ଆମେରିକା, ୟୁରୋପ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୃଶ୍ୟ ହେବ । ଏହା ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ ।
୨୦୨୭ ଫେବୃଆରୀ ୬ରେ କଙ୍କଣାକୃତି ସୂର୍ଯ୍ୟୋପରାଗ ହେବ । ଏହି ସୂର୍ଯ୍ୟୋପରାଗ ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ । ଏଣୁ ପାଳନୀୟ ନୁହେଁ । ଏହି ସୂର୍ଯ୍ୟୋପରାଗ ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଦକ୍ଷିଣ ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଦୃଶ୍ୟ ହେବ ।
ସେହିପରି, ୨୦୨୭ ଫେବୃଆରୀ ୨୦ରେ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ । ଏହି ଉପଛାୟା ଜନିତ ଚନ୍ଦ୍ରଗ୍ରହଣ କେବଳ ମାତ୍ର ବିମ୍ବର ମଳିନତା ଦର୍ଶନ କରାଯାଇପାରେ । ଭାରତ ତଥା ଓଡ଼ିଶାରେ ଏହି ଉପଛାୟା ଜନିତ ଗ୍ରହଣ ଦୃଶ୍ୟ ହେବ । ଯଦ୍ୱାରାକି ଗ୍ରହଣ ସମୟରେ ଚନ୍ଦ୍ରବିମ୍ବ ମିଳନ ଦୃଶ୍ୟ ହେବ କିନ୍ତୁ ଧାର୍ମିକ ରୀତିନୀତି ଅନୁସାରେ ପାଳନ କରାଯିବା ଅନାବଶ୍ୟକ ।