Latest Odisha News

BREAKING NEWS

ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ଏଥିସହ ଏସଆରସି ପୂର୍ବରୁ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ଜାରି କରିଥିବା ନିର୍ଦ୍ଦେଶାବଳୀରେ କିଛି ପରିବର୍ତ୍ତନ କରିଛନ୍ତି ।

ପୂର୍ବଭଳି ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟିରେ ୨୦ ଜଣ ଯୋଗ ଦେଇପାରିବେ । ତେବେ, କୌଣସି କାର୍ଯ୍ୟକ୍ରମରେ ଗୋଟିଏ ବ୍ୟାଚ୍ ବା ଦଫା ଗଲାପରେ ଆଉ ଏକ ଦଫା ଆସି ପାରିବେ ନାହିଁ । ଅର୍ଥାତ୍ ବିବାହରେ ସର୍ବ ମୋଟ ୫୦ ଜଣ ହିଁ ଯୋଗ ଦେଇ ପାରିବେ । ବିବାହ ଲାଗି କୌଣସି ଶୋଭାଯାତ୍ରା ଆୟୋଜନ ହୋଇପାରିବ ନାହିଁ । ବିବାହରେ ସାମିଲ୍ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ତାଲିକା ଆୟୋଜନାକୀର କାର୍ଯ୍ୟକ୍ରମର ୨୪ ଘଣ୍ଟା ଆଗରୁ ସ୍ଥାନୀୟ ପ୍ରଶାସନକୁ ଦେବେ ।

ଏଥିସହ କାର୍ଯ୍ୟକ୍ରମ ସ୍ଥଳରେ ସାମିଲ୍ ବ୍ୟକ୍ତିବିଶେଷଙ୍କ ନାଁର ତାଲିକା ଲଗାଇବେ । ୧୦ ଫୁଟ୍ ଦୂରତାରୁ ଦୃଷ୍ଟି ଗୋଚର ହେଉଥିବ । ପୂର୍ବରୁ ଦେଇଥିବା ତାଲିକା ଠାରୁ ଅନ୍ୟ କେହି କିମ୍ବା ଅଧିକ ଲୋକ ଉପସ୍ଥିତ ଥିଲେ ତାହାକୁ ନିୟମର ଉଲ୍ଲଂଘନ ବୋଲି ଧରାଯିବ । ଆଇନ୍ ଅନୁସାରେ ଆୟୋଜନକାରୀ ଓ ଭେନ୍ୟୁର ମାଲିକଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଜରିମାନ ସହ ଜବତ କରି କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

କାର୍ଯ୍ୟକ୍ରମରେ ସମସ୍ତେ ମାସ୍କ ପିନ୍ଧିବା ସହ ସର୍ବନିମ୍ନ ୬ ଫୁଟ୍ ଦୂରତା ରକ୍ଷା କରିବେ । ଥର୍ମାଲ ସ୍କାନିଂ ସହ ହ୍ୟାଣ୍ଡ ୱାସ୍ କିମ୍ବା ସାନିଟାଇଜର ବ୍ୟବସ୍ଥା ରହିବ । କୌଣସି ନିୟମର ଉଲ୍ଲଂଘନ ହେଲେ ଭେନ୍ୟୁ ମାଲିକ ଓ ଆୟୋଜନକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ।

କୌଣସି ସାମାଜିକ, ସାଂସ୍କୃତିକ, ରାଜନୀତିକ, ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ସଭା ସମିତି ହୋଇ ପାରିବ ନାହିଁ । ଧର୍ମାନୁଷ୍ଠାନରେ ପୂଜକ ପୂଜାର୍ଚ୍ଚନା କରିପାରିବେ । ସ୍ଥିତି ଦେଖି ଶ୍ରଦ୍ଧାଳୁଙ୍କ ଉପରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲାଗୁ କରିପାରିବ । ସମସ୍ତ ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଘରେ ଜନ୍ମଦିନ, ବ୍ରତଘର ଓ ଏକୋଇଶିଆ ଆଦି ଆୟୋଜନ ହୋଇପାରିବ । ଏଥିରେ ପରିବାର ସଦସ୍ୟ ବ୍ୟତୀତ କେହି ସାମିଲ୍ ହେବେ ନାହିଁ । ଏସଆରସି ଜାରି କରିଥିବା ନୂଆ ଗାଇଡଲାଇନ୍ ୨୧ ତାରିଖରୁ ମେ’ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏଥିସହ ପଢ଼ନ୍ତୁ- ରାଜ୍ୟର ସବୁ ସହରାଞ୍ଚଳରେ ୨୪ରୁ ସପ୍ତାହନ୍ତ ସଟଡାଉନ୍ ଘୋଷଣା

Leave A Reply

Your email address will not be published.