Latest Odisha News

BREAKING NEWS

ପାରମ୍ପରିକ ଚିତ୍ର ଜଗତର ନୂଆ ସମ୍ଭାବନା : ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ମହାରଣା

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା 

ପରିବାର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଦିନେ ଅଣ୍ଟା ଭିଡ଼ିଥିବା ସସ୍ମିତା ମହାରଣା ଆଜି ରାଜ୍ୟ ହସ୍ତକଳା ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଭିନ୍ନ ଏକ ପରିଚୟ । ଖୁବ୍ କମ୍ ସମୟ ମଧ୍ୟରେ ସାଉଁଟିଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ । ପାରମ୍ପରିକ ପଟ୍ଟଚିତ୍ରରେ ସୂକ୍ଷ୍ମ କଳା କାରିଗରୀ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ ।

ସାରା ବିଶ୍ୱରେ ନାଁ କରିଥିବା ପୁରୀ ଜିଲ୍ଲା ଶିଳ୍ପୀ ଗ୍ରାମ ରଘୁରାଜପୁରର ମାଟି, ପାଣି ଓ ପବନରେ ଭରି ରହିଛି ଆମ ପାରମ୍ପାରିକ ଚିତ୍ର କଳାର ମହ ମହ ବାସ୍ନା ଓ ଅନେକ ସ୍ୱାକ୍ଷର । ଏହି ଐତିହ୍ୟ ଗ୍ରାମ ରଘୁରାଜପୁରରେ ୧୯୮୩ ମସିହାରେ ଜନ୍ମ ଗ୍ରହଣ କରନ୍ତି ସସ୍ମିତା ମହାରଣା । ମାଆ କୁମୁଦିନୀ ଓ ବାପା କ୍ଷେତ୍ରବାସୀ ମହାରଣାଙ୍କ ଜ୍ୟେଷ୍ଠ ସନ୍ତାନ ଭାବେ ପରିବାରର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ସସ୍ମିତା । ଗାଁର ବହୁ ଚିତ୍ରଶିଳ୍ପୀଙ୍କ ମେଳରେ ବଢ଼ି ଆସିଥିବା ସସ୍ମିତାଙ୍କର ସ୍ୱାଭବତଃ ପଟ୍ଟଚିତ୍ର ପ୍ରତି ପିଲାଦିନୁ ସୃଷ୍ଟି ହୋଇଥିଲା ଅନେକ ଦୁର୍ବଳତା । ଆଦ୍ୟ ଶିଳ୍ପୀ ଜୀବନରେ ସସ୍ମିତାଙ୍କ ପ୍ରେରଣାର ଉତ୍ସ ଥିଲେ, ତାଙ୍କର ବାପା ଓ ମାଆ । ପରିବାର ପ୍ରତିପୋଷଣ ପାଇଁ ବାପା କ୍ଷେତ୍ରବାସୀ ପୂର୍ବରୁ ପଟ୍ଟଚିତ୍ର ତିଆରି କରୁଥିଲେ ମଧ୍ୟ ଶାରିରୀକ ଅସୁସ୍ଥତା ପାଇଁ ଏ କ୍ଷେତ୍ରରେ ଅଧିକ ବାଟ ଆଗେଇ ପାରିଲେ ନାହିଁ । ଉଭୟ ସ୍ୱାମୀ ସ୍ତ୍ରୀ କାଗଜ ମୁଖା ଗଢିି ବହୁ କଷ୍ଟରେ ନିଜର ଚାରି ସନ୍ତାନକୁ ଲାଳନପାଳନ କରୁଥିଲେ । କ୍ଷେତ୍ରବାସୀଙ୍କ ମନରେ ଥିଲା ଏକ ଦୃଢ଼ ଇଛା,ମୁଁ ନହେଲି ନାହିଁଁ, ମୋ ପରିବାରର କେହି ଜଣେ ଭଲ ପଟ୍ଟଚିତ୍ର ଶିଳ୍ପୀଟିଏ ହୋଇ ବହୁ ସୁନାମ ଅର୍ଜନ କରୁ । ବାପାଙ୍କ ଇଛାକୁ ପୂରଣ କରିବାକୁ ଯାଇ ୧୯୯୮ ମସିହାରେ ମାଟ୍ରିକ୍ ପାସ୍ ପରେ ସସ୍ମିତା ପାଠ ପଢ଼ାରେ ଡୋରି ବାନ୍ଧି ଦେଇଥିଲେ ।

ପ୍ରଥମେ ନିଜ ଗାଁର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ଶରତ ସ୍ୱାଇଁ, ବନମାଳୀ ମହାପାତ୍ରଙ୍କ ନିକଟରୁ ପଟ୍ଟଚିତ୍ରର ସମସ୍ତ କଳାକୌଶଳ ହାସଲ କଲେ ସସ୍ମିତା । ନିଜ ସ୍ୱକୀୟ ପ୍ରତିଭା ଓ ନିଷ୍ଠା ବଳରେ ସୃଷ୍ଟି କରି ଚାଲିଲେ ଅନେକ କଳାକୃତି । ସୂକ୍ଷ୍ମ କଳାକାରିଗରୀରେ ଭରିପୁର ତାଙ୍କର ପ୍ରତିଟି ଚିତ୍ର ଦର୍ଶକ ମାତ୍ରକେ ମୋହି ନେଇଥାଏ ଦର୍ଶକର ମନ ।

 

୨୦୦୦ ମସିହାର କଥା । ଇନ୍‌ଟାକ୍ ଉଦ୍ୟମରେ ରଘୁରାଜପୁର ଗାଁର ପ୍ରତିଟି ଘର କାନ୍ଥରେ ଆରମ୍ଭ ହୁଏ ବିଭିନ୍ନ ବିଷୟ ବସ୍ତକୁ ନେଇ ପଟ୍ଟଚିତ୍ର ଅଙ୍କନ । ଏହି ସମୟରେ ସସ୍ମିତାଙ୍କ ସହ ଭେଟ ହୁଏ ଜାତୀୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ କଳାମଣି ରବିନ୍ଦ୍ର ନାଥଙ୍କ ସହ । ସସ୍ମିତାଙ୍କ କଳା ପ୍ରତିଭା ଦେଖି ଚମତ୍କୃତ ହୁଅନ୍ତି ରବିନ୍ଦ୍ର ନାଥ ସାହୁ । ଗୁଣ ଚିହ୍ନ ଗୁଣିଆ ଭଳି ଗୁରୁ ରବିନ୍ଦ୍ର ନାଥ ଆମ ପାରମ୍ପରିକ ପଟ୍ଟଚିତ୍ରର ବିଭିନ୍ନ ଦିଗ କୌଶଳ ସଂପର୍କରେ ଶିକ୍ଷା ଦିଅନ୍ତି ସସ୍ମିତାକୁ । ଗୁରୁଙ୍କ ପ୍ରେରଣା ଓ ମାର୍ଗଦର୍ଶନ ସସ୍ମିତା ୨୦୦୫ ମସିହାରେ ନାରୀଙ୍କ ଶୃଙ୍ଗାର ତିଳକ ପଟ୍ଟଚିତ୍ର ଆଙ୍କି ପାଆନ୍ତି ରାଜ୍ୟ ହସ୍ତକଳା ମେରିଟ୍ ପୁରସ୍କାର । ପୁନର୍ବାର ୨୦୦୮ ମସିହାରେ ଗୀତ ଗୋବିନ୍ଦ ଚିତ୍ର ପାଇଁ ସସ୍ମିତାକୁ ମିଳେ ଲଳିତ କଳା ଏକାଡେମୀର ରାଜ୍ୟ ପୁରସ୍କାର । ଏକାଡେମୀ ପକ୍ଷରୁ ୨୫ ହଜାର ଟଙ୍କା ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯାଏ ସସ୍ମିତାଙ୍କୁ । ୨୦୧୦ ମସିହାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଅନତି ଦୂରରେ ଥିବା ଗୁଡ଼ିଆ ସାହିର କାଠ କାରିଗର ବାଳକୃଷ୍ଣ ମହାରଣାଙ୍କୁ ବିବାହ କରନ୍ତି ସସ୍ମିତା । ସଂସାର ବହୁ ଜଞ୍ଜାଳ ସତ୍ୱେ ସସ୍ମିତା ଥକି ପଡ଼ି ନାହାନ୍ତି । ଏବେ ବି ନିଜସ୍ୱ ଉଦ୍ୟମରେ ୫୦ରୁ ଊର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ପଟ୍ଟଚିତ୍ର ସମ୍ପର୍କରେ ଶିକ୍ଷା ପ୍ରଦାନ କରିବା ସହ ନୂଆ ନୂଆ କଳାକୃତି ସୃଷ୍ଟିରେ ନିମଗ୍ନ ରହିଛନ୍ତି ସେ । ମନରେ ଗୋଟିଏ ସ୍ୱପ୍ନ ,କଳା ଜଗତରେ ଜଣେ ନାଁ କରା ପଟ୍ଟଚିତ୍ର ଶିଳ୍ପୀ ଭାବେ ସୁନାମ ଅର୍ଜନ କରିବା ଓ ଜାତୀୟ ପୁରସ୍କାର ଲାଭ କରିବା ।

ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସହଯୋଗ କ୍ରମେ ସସ୍ମିତା ନିଜ ଘରେ ଆରମ୍ଭ କରିଛନ୍ତି ପଟ୍ଟଚିତ୍ର ତାଲିମ କାର୍ଯ୍ୟକ୍ରମ । ପ୍ରତି ବ୍ୟାଚରେ ଅନ୍ୟୁନ ୧୫ ଜଣ ଲେଖାଏଁ ପ୍ରଶିକ୍ଷାର୍ଥୀଙ୍କୁ ସେ ପଟ୍ଟଚିତ୍ର ସମ୍ପର୍କରେ ତାଲିମ ପ୍ରଦାନ କରି ଆସୁଛନ୍ତି ବୋଲି କୁହନ୍ତି ସସ୍ମିତା । କାମରେ ସେ କେବେ ଠକିବାକୁ ଚାହିଁ ନାହାନ୍ତି । ଅଧିକ ପରିଶ୍ରମ ହେଉ ପଛେ ସୁନ୍ଦର କଳାକୃତୀଟିଏ କିଭଳି ସୃଷ୍ଟି ହୋଇ ପାରିବ ତାହା ପାଇଁ ଦିନରାତି ଏକ କରି ଦିଅନ୍ତି ସସ୍ମିତା । ସେଥିପାଇଁ ସେ ବହୁ ଭଲ ଦାମ୍‌ରେ ନିଜର କଳାକୃତି ବିକ୍ରି କରି ପାରିଥାନ୍ତି । ମନ ଓ ହୃଦୟ ଦେଇ ଭଲ କଳାକୃତିଟିଏ ସୃଷ୍ଟି କରିପାରିଲେ ବଜାରର ଅଭାବ ରହିବ ନାହିଁ ବୋଲି କୁହନ୍ତି ସସ୍ମିତା ।

ସଂପାଦକ
ଓଡିଶା ଶିଳ୍ପୀ ମହାସଂଘ
ମୋ- ୯୩୩୮୪୬୪୭୧୯

Leave A Reply

Your email address will not be published.