Latest Odisha News

BREAKING NEWS

ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ନୂଆ ମୋଡ; ନେରେଡି ବ୍ୟାରେଜ୍‌ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି

ଭୁବନେଶ୍ଵର: ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟକା । ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି । ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟକା ଦେଇଥିବା ବେଳେ ଆନ୍ଧ୍ର ସପକ୍ଷରେ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ଏହି ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି ।

ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି ସ୍ଥିର ହୋଇଛି । ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶର ଉଲ୍ଲେଖ ରହିଛି । ୧୯୬୨ ମସିହା ୩୦ ସେପ୍ଟେମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି ।

ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା । ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା । ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ।

ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ସ୍ୱତନ୍ତ୍ର ଅନୁମତି ମିଳିଛି । ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ । ଏହି ଜମିର କ୍ଷତିପୂରଣ ଆନ୍ଧ୍ର ବହନ କରିବ । ଚାଷୀଙ୍କ ସ୍ୱାର୍ଥରେ ପାର୍ଶ୍ୱ କେନାଲ୍ ଦେଇ ୮ ଟିଏମସି ଜଳ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାର ପରିଚାଳନା ପାଇଁ ଉଭୟ ରାଜ୍ୟର ପ୍ରତିନିଧି ସହ ଏକ କମିଟି ଗଠନ କରାଯିବ । ଏହି ରାୟ ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.