Latest Odisha News

BREAKING NEWS

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଏହା ସହିତ ତାଳ ଦେଇ ବଢୁଛି ଅପରାଧିକ ମାମଲା । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବିଭିନ୍ନ ଅଭିଯୋଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ  ।

ଅପରାଧକୁ ରୋକିବା ସହ ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ  ଏଥିପାଇଁ ୩୬ଟି ନୂଆ ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହ ଏହି ଥାନାଗୁଡିକୁ ପରିଚାଳନା ପାଇଁ ପୋଲିସ ବିଭାଗରେ ୫୬୩ଟି ପଦବୀ ସୃଷ୍ଟି କରାଯାଇଛି  । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଉଛି – ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ୱରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡା, ଭୁବନେଶ୍ୱର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ୱର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା ।

ଏ ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପ୍-ଗ୍ରେଡେସନ୍ କରାଯାଇ ସୃଷ୍ଟି କରାଯାଇଛି । ଏହି ନୂତନ ଥାନା ଗୁଡିକ ନିମନ୍ତେ ଇନ୍ସପେକ୍ଟର ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।

ରାଜ୍ୟରେ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.