Latest Odisha News

BREAKING NEWS

ବାହାଘରର ମାସେ ପୂରିନି, ଜଳିଲା ନବବଧୂର ଜୁଇ; ସ୍ୱାମୀ ଓ ଶ୍ୱଶୁର ଗିରଫ

ଢେଙ୍କାନାଳ: ଦାଣ୍ଡ ଦୁଆରୁ ବେଦି ଭାଙ୍ଗିନି  କି ଘର କାନ୍ଥରୁ ଲେଖା ଲିଭିନି । କିନ୍ତୁ ଲିଭିଗଲାଣି ଝିଅର ଜୀବନ ଦୀପ  । ବାହାଘରର ମାସେ ନ ପୁରୁଣୁ  ଆସିଲା ଝିଅର ସନ୍ଦିଗ୍ଧ ମୃତ୍ୟୁ ଖବର । ସ୍ତବ୍ଧ ହୋଇଯାଇଛନ୍ତି ବାପା-ମା’ । ବିଶ୍ୱାସ କରିପାରୁ ନାହାନ୍ତି । ବାହା ବାସିରୁ ଝିଅ ପାଦ କାଢି ଶାଶୂଘରକୁ  ଗଲା ଯେ ଆଉ ଥରେ ଫେରିଲାନି । ଦୁନିଆ ଛାଡି ଚାଲିଗଲା !  ଢେଙ୍କାନାଳ ଝୁମ୍ପୁଡିଆରେ ସନ୍ଦିଗ୍ଧ ମୃତ୍ୟୁ ଘଟିଛି ଲକ୍ଷ୍ମୀପ୍ରିୟାଙ୍କର ।

କଟକ ଜିଲ୍ଲା ଆଠଗଡ ପୁରୁଣା ପତଣ୍ଡା ଗାଁର ଲକ୍ଷ୍ମୀପ୍ରିୟା ଗତ ମାର୍ଚ୍ଚ ୧୧ ତାରିଖରେ ଢେଙ୍କାନାଳ ଝୁମ୍ପୁଡିଆର ଦେବୀ ପ୍ରସାଦ ମହାନ୍ତିଙ୍କୁ ବିବାହ କରିଥିଲେ । ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଧିକ ଯୌତୁକ ପାଇଁ ଶାଶୂ ଘର ଲାେକେ ଲକ୍ଷ୍ମୀପ୍ରିୟାଙ୍କୁ ମାରି ଦେଇଛନ୍ତି ।

ଲକ୍ଷ୍ମୀପ୍ରିୟାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି, ବାହାଘର ବେଳେ ତାଙ୍କୁ ୧ ଲକ୍ଷ ଟଙ୍କା ଯୌତୁକ ବାବଦ ଦିଆ ଯାଇଥିଲା । ହେଲେ ଶାଶୂଘର ଲୋକ ଆଉ ୨ ଲକ୍ଷ ଅଧିକ ଟଙ୍କା ମାଗୁଥିଲେ । ଜମି ବିକି ଏହି ଟଙ୍କା ଦେବେ ବୋଲି ଲକ୍ଷ୍ମୀପ୍ରିୟାଙ୍କ ବାପା କହିଥିଲେ । ତଥାପି ଏହି ଟଙ୍କାକୁ ନେଇ ଶାଶୂ ଘରେ ଝଗଡ଼ା ଲାଗୁଥିବା ଲକ୍ଷ୍ମୀପ୍ରିୟାଙ୍କ ବାପା କହିଛନ୍ତି । ଟଙ୍କା ଦେଇ ନ ପାରିବାରୁ ଝିଅକୁ ତଣ୍ଟିଚିପି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ।

ବାପଘର ଲୋକଙ୍କ କହିବା ଅନୁଯାୟୀ, ମୃତ୍ୟୁବେଳକୁ ଲକ୍ଷ୍ମୀପ୍ରିୟାଙ୍କ ଶରୀରରେ ମାଡ ଦାଗ ଥିଲା । ଏ ନେଇ  ଭାପୁର ଫାଣ୍ଡିରେ  ଲିଖିତ ଅଭିଯୋଗ ପରେ ପୋଲିସ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି ଢେଙ୍କାନାଳ ସଦର ପୋଲିସ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.