Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି (୧୯.୪.୨୦୨୩, ବୁଧବାର) ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ। ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ସମାପ୍ତ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ଲାଗି ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯିବ । ବନକଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନୀତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି।

ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ଏହାଦ୍ବାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ ଓ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି। ପ୍ରତ୍ୟେକ ମାସରେ ଏହି ନୀତି ଦୁଇ ଥର କରାଯାଉଥିବା ବେଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କର ଶ୍ରୀମୁଖ ସିଂହାର କରିଥାନ୍ତି।

Leave A Reply

Your email address will not be published.