ଭୁବନେଶ୍ୱର: ଶୂନ ଡିଗ୍ରୀ ହେଇଗଲା ଶିମିଳିପାଳ। ୧୦ ଡିଗ୍ରୀ ତଳେ ୨୩ ସହର। ଜାଡ଼ରେ ଥରହର ସାରା ଓଡ଼ିଶା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ରାଜ୍ୟରେ ଆହୁରି ୫ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ। ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍। ମଙ୍ଗଳବାର ରାଜ୍ୟର ୨୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ କମ୍ ଥିଲା। ଖାଲି ମଣିଷ ନୁହେଁ, ଜୀବଜନ୍ତୁ ବି ଛଟପଟ ହେଉଛନ୍ତି ହାଡ଼ଭଙ୍ଗା ଶୀତରେ।
ପାଣିପାଗ ବିଭାଗର ଆକଳନ ଦେଖାଇଛି, ଆଗକୁ ଏ ସ୍ଥିତି ଆହୁରି ସାଂଘାତିକ ହେବ। ଆସନ୍ତା ୧୨ ତାରିଖ ଯାଏ ଥଣ୍ଡା ମାଡ଼ରୁ ନିସ୍ତାର ନାହିଁ। ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ। ୫ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଥରିବ କେତେକ ଅଞ୍ଚଳ। ପୂର୍ବାନୁମାନ ଅନୁସାରେ ଗୁରୁବାର ରାତିରେ ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ପାରଦ ୫ ଡିଗ୍ରୀ ତଳକୁ ଖସିପାରେ। ଅନୁଗୁଳ, କେନ୍ଦୁଝର, ଭବାନୀପାଟଣା ଓ ସୁନ୍ଦରଗଡ଼ ତାପମାତ୍ରା ୮ ଡିଗ୍ରୀ ରହିପାରେ। ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ବାରିପଦାରେ ପାରଦ ୯ ଡିଗ୍ରୀ ପାଖାପାଖି ରହିପାରେ। ଶୁକ୍ରବାର ରାତିରେ ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲା ତାପମାତ୍ରା ୬ ଡିଗ୍ରୀରେ ଥରିପାରେ। ସେହିପରି ସୁନ୍ଦରଗଡ଼ ୮ ଡିଗ୍ରୀ, ଭବାନୀପାଟଣା ଓ କୋରାପୁଟରେ ପାରଦ ୯ ଡିଗ୍ରୀ ସେଲସିୟସ୍ ରହିପାରେ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ (କେନ୍ଦ୍ରାପଡ଼ାରୁ ଗଞ୍ଜାମ ଯାଏ) ମକର ସଂକ୍ରାନ୍ତି ପରେ ଶୀତ ପ୍ରକୋପ କମିବ। ୧୨ ତାରିଖ ପରେ କିଛି ସ୍ଥାନରେ ଥଣ୍ଡା କମିପାରେ। କିନ୍ତୁ, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା ସମେତ ଆଭ୍ୟନ୍ତରୀଣ ଗଞ୍ଜାମରେ ଜାନୁୟାରୀ ମାସ ଶେଷ ଯାଏ ଥଣ୍ଡାର ପ୍ରକୋପ ଜାରି ରହିବ। ଏଥର ଶୀତ ଋତୁରେ ଲମ୍ବା ସମୟ ଧରି ଶୀତ ପ୍ରକୋପ ଜାରି ରହିଛି ।