Latest Odisha News

BREAKING NEWS

ଏନଏଚଆଇକୁ ରାଜ୍ୟ ସରକାରଙ୍କ ନିବେଦନ, ଖୋର୍ଦ୍ଧା-ଚଣ୍ଡିଖୋଲ ମଧ୍ୟରେ ଥିବା ବ୍ଲାକସ୍ପଟର ମରାମତି ହେଉ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପାଇବା ସହିତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଜାତୀୟ ରାଜପଥ କଡ଼ରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡ଼ିକୁ ତୁରନ୍ତ ସୁଧାରିବା ସହ ଜବରଦଖଲ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନିବେଦନ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଠାରୁ ଚଣ୍ଡିଖୋଲ ଯାଏ ଲମ୍ବିଥିବା ଜାତୀୟ ରାଜପଥ-୧୬ର ୯୦ କିଲୋମିଟର ଅଞ୍ଚଳ ରାଜ୍ୟର ଅନ୍ୟତମ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେଉଛି। ଆଶ୍ଚର୍ଯ୍ଯର କଥା ହେଉଛି, ମୋଟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାର ଏହା ପ୍ରାୟ ୧୨ ପ୍ରତିଶତ।

ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ନେଇ ଗଠିତ ଏହି ରାସ୍ତାରେ ୩୬ଟି ବ୍ଲାକ୍ ସ୍ପଟ୍ ରହିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ବର୍ଦ୍ଧିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏନ୍ଏଚ୍ଏଆଇକୁ ଭେଟି ବ୍ଲାକ୍ ସ୍ପଟ୍ଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଏବଂ ସମ୍ପୂର୍ଣ୍ଣ ସଂଶୋଧନ ପ୍ରକ୍ରିୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ଅନୁରୋଧ କରିଛନ୍ତି।

କ୍ରମାଗତ ଭାବେ ଅବହେଳିତ ହେଉଥିବା ବ୍ଲାକସ୍ପଟକୁ ନେଇ ଉଦବେଗ ପ୍ରକାଶ କରି ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ମହାପ୍ରବନ୍ଧକଙ୍କୁ ବିଧିବଦ୍ଧ ଭାବେ ଚିଠି ପଠାଇଛନ୍ତି।

ସେ ତାଙ୍କ ଚିଠିରେ ତୁରନ୍ତ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ମାସକ ମଧ୍ୟରେ ଏହି ବିପଦସଙ୍କୁଳ ସ୍ଥାନଗୁଡ଼ିକୁ ସୁଧାରିବା ଲକ୍ଷ୍ୟରେ ଏକ କାର୍ଯ୍ୟ ଯୋଜନା ପାଇଁ ଅନୁରୋଧ କରିଛନ୍ତି।

କେବଳ ସେତିକି ନୁହେଁ, ଚଣ୍ଡିଖୋଲ ଠାରେ ବେଆଇନ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ଏବଂ ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ବିଭିନ୍ନ ସ୍ଥାନରୁ ଜବରଦଖଲ ହଟାଇବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ଉଷା ପାଢ଼ୀ ଦାବି କରିଛନ୍ତି।

ବିଶେଷ କରି ବରମୁଣ୍ଡା ଠାରୁ ଚଣ୍ଡିଖୋଲ ଯାଏ ଜାତୀୟ ରାଜପଥ-୧୬ର ୭୨ କିଲୋମିଟର ବ୍ୟବଧାନରେ ବ୍ୟାପକ ଜବରଦଖଲ ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨,୨୮୭ ଜବରଦଖଲ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଅର୍ଥାତ ୮୬୦ଟି ସ୍ଥାୟୀ ଓ ୧,୪୨୭ଟି ଅସ୍ଥାୟୀ ନିର୍ମାଣକୁ ସଫଳତାର ସହ ଉଚ୍ଛେଦ କରାଯାଇଛି।

ଜାତୀୟ ରାଜପଥ-୧୬ରେ ଥିବା ବେଆଇନ ବ୍ୟବସାୟ ପ୍ରତିଷ୍ଠାନ, ରାସ୍ତାକଡ଼ରେ ଥିବା ଖାଦ୍ୟ ଦୋକାନ ଏବଂ ଦୋକାନଗୁଡ଼ିକ ମଧ୍ୟ ବେଆଇନ ଭାବେ ନିର୍ମିତ ହୋଇଥିବାରୁ ଟ୍ରାଫିକ୍ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି।

ଏହି ବେଆଇନ ନିର୍ମାଣ ପ୍ରତିଷ୍ଠା ୨୦୦୨ର ଜାତୀୟ ରାଜପଥ (ଜମି ଓ ଟ୍ରାଫିକ୍) ନିୟନ୍ତ୍ରଣ ଆଇନକୁ ଉଲ୍ଲଙ୍ଘନ କରୁଥିବାଛି। ଯାହା ଏନ୍ଏଚ୍ ଅଧିକାରୀଙ୍କୁ ଏଭଳି ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଦେଉଛି।

Leave A Reply

Your email address will not be published.