ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜାତୀୟ ମାନବିକ ଅଧିକାର କମିଶନ ପକ୍ଷରୁ ଖୋଳତାଡ଼ ଜୋରଦାର ହୋଇଛି। ବୁଧବାର ଏହି ମାମଲାରେ NHRC ଟିମ୍ର ତୃତୀୟ ଦିନର ତଦନ୍ତ ଶେଷ ହୋଇଥିବା ବେଳେ ଘଟଣାର ପ୍ରମୁଖ ସାକ୍ଷୀମାନଙ୍କୁ ମାରାଥନ୍ ଜେରା କରାଯାଇଛି।
ଘଟଣାଦିନ ପ୍ରକୃତରେ କ’ଣ ଘଟିଥିଲା ଏବଂ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ବାସ୍ତବ କାରଣ କ’ଣ, ତାହାର ସତ୍ୟତା ସାମ୍ନାକୁ ଆଣିବା ପାଇଁ NHRC ଟିମ୍ ପ୍ରୟାସ ଚଳାଇଛି। ବୁଧବାର କମିଶନଙ୍କ ପକ୍ଷରୁ ସୌମ୍ୟଙ୍କ ସାଙ୍ଗ ଓମ୍ ଏବଂ ପୀଡ଼ିତା ଯୁବତୀଙ୍କୁ ଘନଘନ ଜେରା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀଙ୍କୁ କମିଶନ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଥିବା ବେଳେ ସୌମ୍ୟଙ୍କ ସାଙ୍ଗ ଓମଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଝାଳବୁହା ଜେରା କରାଯାଇଛି।
ଓମ୍ ଏବଂ ପୀଡ଼ିତା ଯୁବତୀଙ୍କ ବୟାନରେ କେତେ ସତ୍ୟତା ରହିଛି, ତାହା ପରଖିବା ପାଇଁ ସେମାନଙ୍କୁ ସବୁଠାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ତଦନ୍ତ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ କରିବା ପାଇଁ କେତେକ ସାକ୍ଷୀଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରାଯାଇଥିବା ବେଳେ ଅନ୍ୟ କିଛି ଜଣଙ୍କୁ ଏକୁଟିଆ ରଖି ଜେରା କରାଯାଇଥିଲା। କେବଳ ଏହି ଦୁଇ ପ୍ରମୁଖ ସାକ୍ଷୀ ନୁହନ୍ତି, ବରଂ ସେଦିନ ଘଟଣା ସହ ଜଡ଼ିତ ଥିବା ବାଲିଅନ୍ତା ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭର, ପ୍ରାଥମିକ ଚିକିତ୍ସା କରିଥିବା ସମ୍ପୃକ୍ତ ଡାକ୍ତର ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ NHRC ଅଧିକାରୀମାନେ ପଚରାଉଚରା କରିଛନ୍ତି।
କେଉଁ ପରିସ୍ଥିତିରେ ଏଭଳି ଏକ ସଂଘାତିକ ହତ୍ୟାକାଣ୍ଡ ଘଟିଲା, ସେ ସବୁ ଦିଗକୁ ନେଇ NHRC ର ବରିଷ୍ଠ ଅଧିକାରୀମାନେ ତନ୍ନ ତନ୍ନ କରି ତଦନ୍ତ କରୁଛନ୍ତି। ଏହି ମାରାଥନ୍ ଜେରା ପରେ ଘଟଣାର ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।

Comments are closed.