Latest Odisha News

BREAKING NEWS

ଦିଲ୍ଲୀ ପରେ ବିହାରରେ ଅଗ୍ନିକାଣ୍ଡ: ମୁଜାଫରପୁର ପ୍ରସାଦ ହସ୍ପିଟାଲ୍ ଆଇସିୟୁରେ ଭୟାବହ ନିଆଁ, ଅନେକ ରୋଗୀ ମୃତ

ମୁଜାଫରପୁର: ଦିଲ୍ଲୀର ମାଲବୀୟ ନଗରରେ ଏକ ହୋଟେଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ଠିକ୍ ଗୋଟିଏ ଦିନ ପରେ ବିହାରରୁ ଆଉ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ବିହାରର ମୁଜାଫରପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁରା ଅଞ୍ଚଳରେ ଥିବା ‘ପ୍ରସାଦ ହସ୍ପିଟାଲ’ର ଆଇସିୟୁ (ICU) ୱାର୍ଡରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ବେସରକାରୀ ସୂତ୍ରରୁ ମୃତ୍ୟୁସଂଖ୍ୟା ୧୦ ପହଞ୍ଚିଥିବା ଏବଂ ୨୫ରୁ ଅଧିକ ରୋଗୀ ଗୁରୁତର ଭାବେ ଝୁଲସି ଯାଇଥିବା ଖବର ମିଳିଛି।

 

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଭୋର୍ ପ୍ରାୟ ୩ଟା ସମୟରେ ହସ୍ପିଟାଲର ଆଇସିୟୁରେ ହଠାତ୍ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ୍ କାରଣରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ଏହା ପୂରା ଆଇସିୟୁ ୱାର୍ଡକୁ ନିଜ କବଜାକୁ ନେଇଯାଇଥିଲା ଏବଂ ଚାରିଆଡେ କଳା ଧୂଆଁ ଛାଇ ଯାଇଥିଲା।

 

ଏହି ଦୁର୍ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଅମାନବୀୟ ବିଷୟ ସାମ୍ନାକୁ ଆସିଛି ଯେ, ନିଆଁ ଲାଗିବା ମାତ୍ରେ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନେ ରୋଗୀମାନଙ୍କୁ ଆଇସିୟୁରେ ଛଟପଟ ହେବାକୁ ଛାଡି ସେଠାରୁ ଫେରାର୍ ହୋଇଯାଇଥିଲେ। ରୋଗୀମାନଙ୍କ ସମ୍ପର୍କୀୟମାନେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଉପରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।

 

ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ପ୍ରାୟ ୮ରୁ ଅଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ହସ୍ପିଟାଲରେ କର୍ମଚାରୀ ନଥିବାରୁ ଅଗ୍ନିଶମ କର୍ମଚାରୀମାନେ ୱାର୍ଡର ଝରକା ଓ କବାଟ ଭାଙ୍ଗି ଭିତରେ ଫସି ରହିଥିବା ରୋଗୀମାନଙ୍କୁ ଉଦ୍ଧାର କରିଥିଲେ।

 

ଆହତ ରୋଗୀମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସହରର ଅନ୍ୟ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.