ନୂଆଦିଲ୍ଲୀ: ୨୦୨୩ ପୁନେ ଆତଙ୍କୀ ଷଡଯନ୍ତ୍ର ମାମଲାରେ ଜଡିତ ଥିବା ଦୁଇ ମୁଖ୍ୟ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଦୁଇ ଜଣଙ୍କୁ ଗିରଫ କରିଛି । ଯେଉଁମାନେ ମହାରାଷ୍ଟ୍ରର ପୁଣେରେ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ, ଆଇଡି ତିଆରି ଏବଂ ପରୀକ୍ଷଣରେ ଜଡିତ ଏକ ସ୍ଲିପର୍ ମଡ୍ୟୁଲ୍ର ଅଂଶ ରହିଥିଲେ । ଯାହା ୨୦୨୩ ମସିହାର ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲା ସହିତ ଜଡିତ ରହିଛି ।
ଦୁଇ ଆତଙ୍କୀ ଅବଦୁଲ୍ଲା ଫୈୟାଜ ଶେଖ୍ ଓରଫ ଡାଏପରୱାଲା ଏବଂ ତଲହା ଖାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୨ରେ ଇମିଗ୍ରେସନ ବ୍ୟୁରୋ ଦ୍ୱାରା ଅଟକାଯାଇଥିଲା । ଦୁଇଜଣ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ ଏବଂ ଭାରତରେ ପହଞ୍ଚିବା ପରେ ଏବେ ଏନଆଇଏ ସେମାନଙ୍କୁ ହେପାଜତରେ ନେଇଛି ।
ଏନେଇ ଏନଆଇଏ ଦେଇଥିବା ସୂଚନା ଅନୁଯାୟୀ, ଦୁଇଜଣ ଦୁଇ ବର୍ଷରୁ ଅଧିକ ସମୟ ଧରି ପଳାତକ ଭାବେ ରହୁଥିଲେ । RC-05/2023/NIA/MUM ମାମଲା ସହିତ ଜଡିତ ଥିବପା ଆତଙ୍କୀଙ୍କ ମଧ୍ୟରେ ଏମାନେ ସାମିଲ ଥିଲେ । ମୁମ୍ବାଇର ଏନଆଇଏ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ସେମାନଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା ଏବଂ ସେମାନଙ୍କ ଗିରଫଦାରୀ ପାଇଁ ସୂଚନା ଦେବା ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
ଏଥିସହିତ ଏନଆଇଏ ଏହା ବି କହିଛି ଯେ ଏହି ମାମଲା ଦଶ ଜଣଙ୍କ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ଏବଂ ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା । ଯାହାଙ୍କ ମଧ୍ୟରୁ ଏବେ ଦୁଇ ଜଣଙ୍କୁ ସମ୍ପ୍ରତି ଗିରଫ କରାଯାଇଛି। ସେମାନେ ହିଂସା ଏବଂ ଆତଙ୍କ ମାଧ୍ୟମରେ ଦେଶରେ ଇସଲାମିକ୍ ଶାସନ ପ୍ରତିଷ୍ଠା କରିବା ପାଇଁ ଆଇଏସଆଇଏସ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରି ଭାରତର ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ବିଚଳିତ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ।
ଅବଦୁଲ୍ଲା ଫୈୟାଜ ଶେଖ ପୁଣେର କୋନ୍ଧୱାରେ ଏକ ଘର ଭଡା ନେଇଥିଲେ, ଯାହାକୁ ଆଇଇଡି ସଂଗ୍ରହ ପାଇଁ ଏକ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲା। ଆଉ ୨୦୨୨ ରୁ ୨୦୨୩ ମଧ୍ୟରେ, ଅଭିଯୁକ୍ତମାନେ କେବଳ ଆଇଇଡି ତିଆରି କରିନଥିଲେ ବରଂ ବୋମା ତିଆରି ତାଲିମ କର୍ମଶାଳା ମଧ୍ୟ କରିଥିଲେ ଏବଂ ସେମାନଙ୍କର ଗୋଟିଏ ଉପକରଣ ପରୀକ୍ଷା କରିବା ପାଇଁ ଏକ ନିୟନ୍ତ୍ରିତ ବିସ୍ଫୋରଣ ମଧ୍ୟ କରିଥିଲେ ବୋଲି ସୂଚନା ଦେଇଛି ଏଜେନ୍ସି ।
ଭାରତରେ କାର୍ଯ୍ୟ କରୁଥିବା ଆଇଏସଆଇଏସ-ସଂଯୁକ୍ତ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ତଦନ୍ତକାରୀ ସଂସ୍ଥା ପୂର୍ବରୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ବିସ୍ଫୋରକ ପଦାର୍ଥ ଆଇନ, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ସମସ୍ତ ଦଶ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ଅବଦୁଲ୍ଲା ଫାୟାଜ ଶେଖ ଏବଂ ତାଲହା ଖାନଙ୍କ ବ୍ୟତୀତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ଅନ୍ୟ ୮ ଅଭିଯୁକ୍ତଙ୍କ ମଧ୍ୟରେ ମହମ୍ମଦ ଇମ୍ରାନ ଖାନ, ମହମ୍ମଦ ୟୁନୁସ ସାକି, ଅବଦୁଲ କାଦର ପଠାନ, ସିମାବ ନାସିରୁଦ୍ଦିନ କାଜୀ, ଜୁଲଫିକର ଅଲି ବରୋଦାୱାଲା, ଶାମିଲ ନାଚାନ, ଆକିଫ ନାଚାନ ଏବଂ ଶାହନାୱାଜ ଆଲାମ ପ୍ରମୁଖ ସାମିଲ ରହିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଏବେ ଦୁଇ ଜଣ ଧରାପଡିଥିବା ବେଳେ ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି କହିଛି ଏନଆଇଏ ।
Comments are closed.