Latest Odisha News

BREAKING NEWS

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋତ୍ତର ଭାରତକୁ ନେଇ ନକରାତ୍ମକ ଦୃଷ୍ଟିକୋଣ, କଡ଼ା ଜବାବ ଦେବାକୁ ତିଆରି ହେଲା ମାଷ୍ଟରପ୍ଲାନ୍

ନୂଆଦିଲ୍ଲୀ: ପୂର୍ବୋତ୍ତର ଭାରତକୁ ନେଇ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସ ଦେଇଥିବା ବିବାଦୀୟ ବୟାନ ଉପରେ ଭାରତ ଏବେ କୂଟନୈତିକ ନୁହେଁ, ବରଂ ତୃଣମୂଳ ସ୍ତରରେ କଡ଼ା ଜବାବ ଦେଇଛି। ଚୀନ ଗସ୍ତ ସମୟରେ ୟୁନୁସ ପୂର୍ବୋତ୍ତର ଭାରତ ବାଂଲାଦେଶର ଦୟା ଉପରେ ନିର୍ଭରଶୀଳ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ଏବେ ଭାରତ ସରକାର ଏପରି ଏକ ମଜବୁତ ପଦକ୍ଷେପ ନେଇଛନ୍ତି, ଯାହା କେବଳ ଏହି ବୟାନକୁ ଶକ୍ତ ଚାପୁଡା ହୋଇନି ବରଂ ପୂର୍ବୋତ୍ତର ଭାରତର ଭୌଗୋଳିକ ଓ ଆର୍ଥିକ ଚିତ୍ରକୁ ମଧ୍ୟ ବଦଳାଇ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶିଲଂରୁ ସିଲଚର ପର୍ଯ୍ୟନ୍ତ ଏକ ଗ୍ରୀନଫିଲ୍ଡ ହାଇ-ସ୍ପିଡ କରିଡର ଓ ଚାରି ଲେନ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଏହି ପ୍ରକଳ୍ପ ପ୍ରାୟ ୧୬୬.୮୦ କିଲୋମିଟର ଲମ୍ବା ହେବ, ଯାହାର ଆନୁମାନିକ ଖର୍ଚ୍ଚ ହେଉଛି ୨୨,୮୬୪ କୋଟି ଟଙ୍କା। ୨୦୩୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି।

ଏହି ରାଜପଥ ଆସାମ ଓ ମେଘାଳୟର ଦୁର୍ଗମ ଅଞ୍ଚଳ ଦେଇ ତିଆରି ହେବ। ଏହାର ୧୪୪.୮୦ କିଲୋମିଟର ମେଘାଳୟରେ ଓ ୨୨ କିଲୋମିଟର ଆସାମରେ ରହିବ। ଏହି ପ୍ରକଳ୍ପକୁ ପୂର୍ବୋତ୍ତର ଭାରତର ‘ପ୍ରବେଶ ଦ୍ୱାର’ ବୋଲି ମଧ୍ୟ କୁହାଯାଉଛି, ଯାହା ଏହି ଅଞ୍ଚଳର ଲଜିଷ୍ଟିକ ସଂଯୋଗୀକରଣକୁ ଏକ ନୂଆ ଦିଗ ଦେବ।

ଏହି କରିଡର କେବଳ ଆସାମ ଓ ମେଘାଳୟ ମଧ୍ୟରେ ସିଧାସଳଖ, ଦ୍ରୁତ ଓ ନିରାପଦ ସଂଯୋଗ ସ୍ଥାପନ କରିବ ନାହିଁ, ବରଂ ସିଲଚର, ଗୁଆହାଟୀ ଓ ସିଲଂ ବିମାନବନ୍ଦର ଭଳି ପ୍ରମୁଖ ଟର୍ମିନାଲଗୁଡ଼ିକୁ ମଧ୍ୟ ଯୋଡ଼ିବ। ଏହାଛଡ଼ା ଏହି ରାଜପଥ ସିମେଣ୍ଟ ଓ କୋଇଲା ଉତ୍ପାଦନ ଅଞ୍ଚଳ ଦେଇ ଗତି କରିବ, ଯାହା ଶିଳ୍ପାଞ୍ଚଳର ଗତିବିଧିକୁ ତ୍ୱରାନ୍ୱିତ କରିବ। ଏହି ପ୍ରକଳ୍ପର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସିଲିଗୁଡ଼ି କରିଡର (ଚିକେନ ନେକ) ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବାଂଲାଦେଶର ସାମୁଦ୍ରିକ ପହଞ୍ଚ ଉପରେ ଥିବା ନିର୍ଭରତାକୁ ସମ୍ପୂର୍ଣ୍ଣ ରୂପେ କମ୍ କରିବ।

ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (NHIDCL) ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ କୋଲକାତା ଓ ବିଶାଖାପାଟଣା ଭଳି ସାମୁଦ୍ରିକ ବନ୍ଦରଗୁଡ଼ିକରୁ ପୂର୍ବୋତ୍ତର ରାଜ୍ୟଗୁଡ଼ିକ ପର୍ଯ୍ୟନ୍ତ ସିଧାସଳଖ ସାମୁଦ୍ରିକ ଲଜିଷ୍ଟିକ ଚ୍ୟାନେଲ ନିର୍ମାଣ ଉପରେ କାମ ଚାଲିଛି। ଏହା ଦ୍ୱାରା ବାଂଲାଦେଶର ରାସ୍ତା ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ଏବଂ ମାଲବାହୀ ଟ୍ରକଗୁଡ଼ିକର ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବ।

ଏହି ପ୍ରକଳ୍ପକୁ ଭୂସ୍ଖଳନରୁ କିଭଳି ବର୍ତ୍ତିପାରିବ। ଅଧିକାରୀମାନେ କହିଛନ୍ତି ଯେ, ସର୍ବାଧୁନିକ ସ୍ଲୋପ ଷ୍ଟେବିଲାଇଜେସନ ପ୍ରଯୁକ୍ତି ବ୍ୟବହାର କରାଯିବ, ଯାହା ଭବିଷ୍ୟବାଣୀ କରି ଯାତାୟାତରେ ବାଧା ନ ଆସିବାକୁ ସୁନିଶ୍ଚିତ କରିବ। ଏହି ପ୍ରକଳ୍ପ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ସରକାର ଏହାକୁ ଦେଶର ସୁରକ୍ଷା ଓ ଆଞ୍ଚଳିକ ସନ୍ତୁଳନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ ବୋଲି ବିବେଚନା କରୁଛନ୍ତି।

ଗତ ଏପ୍ରିଲରେ ଚୀନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବା ପରେ ୟୁନୁସ ପୂର୍ବୋତ୍ତର ଭାରତ ବାଂଲାଦେଶର ଦୟାରେ ବଞ୍ଚିଛି ବୋଲି କହିବାକୁ ଚେଷ୍ଟା କରିଥିଲେ । ଆଉ ଏହି ଅଞ୍ଚଳ ବାଂଲାଦେଶକୁ ଏହାର ଏକମାତ୍ର ସାମୁଦ୍ରିକ ସଂରକ୍ଷକ ବୋଲି ଦର୍ଶାଇଥିଲେ। ଏବେ ଭାରତ ଏହାର କଡ଼ା ଜବାବ ଦେଇଛି ଦୀର୍ଘ ରାଜପଥ ନିର୍ମାଣ କରି।

Comments are closed.